ଭୁବନେଶ୍ବର:ପ୍ରୋଜେକ୍ଟ ଦେବା ଆଳରେ ରାଜ୍ୟରେ ବଡ କେଳେଙ୍କାରୀ । ଅଣ ଓଡିଆ ଶିଳ୍ପପତିଙ୍କୁ ଚୂନ ଲଗାଇଲେ ହାଇପ୍ରୋଫାଇଲ ଠକ ଟିମ୍ । ଓଡିଶାରେ ବ୍ୟୁରୋକ୍ରାଟଙ୍କ ସହ ସେଟିଂ ଅଛି କହି ଠକି ନେଲେ ୧ କୋଟି । ରାଜ୍ୟରେ ଏମିତି ଏକ ଠକେଇର ପର୍ଦ୍ଦାଫାସ କରିଛି EOW । ଘଟଣାରେ ସମ୍ପୃକ୍ତ ନକଲି IAS ସୁର୍ଯ୍ୟମଣି ତ୍ରିପାଠୀ ଏବଂ ଅମିତ କୁମାର ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଦୁହେଁ ଯଥାକ୍ରମେ ନିଜକୁ PWD ଆସିଷ୍ଟାଣ୍ଟ ସେକ୍ରେଟାରୀ (ନକଲି IAS) ଏବଂ ନକଲି PWD ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦର୍ଶାଇଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ ତ୍ରିପାଠୀ ।
ଏସପିଙ୍କ ସୂଚନା ଅନୁସାରେ, ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲର ମାଲିକ ରିକାବ ଚାନ୍ଦ ଓରଫ ମୁକେଶ ଇଓଡବ୍ଲୁରେ ଏକ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ଵେଳେ ଜଣାପଡିଥିଲା ଯେ ରାଜେଶ ଗେହଲଟ ନାମକ ଜଣେ ଠକ ନିଜକୁ RAW ଅଫିସର କହି ଓଡିଶାରେ କିଛି IAS ଙ୍କ ସହ ଭଲ ସେଟିଂ ରହିଛି କହିଥିଲେ । ଏହାପରେ ସେ ସୂର୍ଯ୍ୟମଣି ତ୍ରିପାଠୀଙ୍କୁ ଓଡିଶାର ଜଣେ IAS ଭାବେ ଯିଏକି PWDର ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଛନ୍ତି ଓ ଅନ୍ୟଜଣେ PWDର ଆସିଷ୍ଟାଣ୍ଟ ଇଞ୍ଜିିନିୟର ଅମିତ କୁମାର ସହ ରିକାବଙ୍କ ପରିଚୟ କରାଇଥିଲେ ।
ତାଙ୍କୁ ଦିଲ୍ଲୀର ଓଡିଶା ନିବାସରେ ପରିଚିତ କରାଇବା ସହ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେହି ଠକ ନକଲି IAS ସୂର୍ଯ୍ୟମଣି ତ୍ରିପାଠୀ ଓଡିଶାର PWDର ମୁଖ୍ୟ ଅଫିସ ଭୁବନେଶ୍ଵର ନିର୍ମାଣ ସୈଧକୁ ଡକାଇ ଗୋଟିଏ ୩୨ କୋଟି ଟଙ୍କାର ପାଣି ପାଇପ ପ୍ରୋଜେକ୍ଟ ଓ ୪୭ କୋଟି ଟଙ୍କାର ବ୍ରିଜ କଲର କାମ ପ୍ରୋଜେକ୍ଟ ପାସ କରାଇଥିଲେ। ଏହି କାମ ଥିଲା ଓଡିଶାର ୩୧୪ଟି ବ୍ଲକର ପାଣି ପାଇପ କାମ ସହ ବିଭିନ୍ନ ଫ୍ରିଜରେ ରଙ୍ଗ କାମ । ଏନେଇ ଓଡିଶା ବିଧାନସଭା ଭବନରେ ଟ୍ରେଜେରୀରେ ଜଣେ ମହିଳାଙ୍କ ଜରିଆରେ ୨୫ ଲକ୍ଷର ଏକ ଡିପୋଜିଟ କରାଇଥିଲେ।
ପରେ ସମ୍ପୃକ୍ତ ଶିଳ୍ପପତି ପ୍ରୋଜେକ୍ଟ ପାଇବା ସୁନିଶ୍ଚିତ ହେବା ପରେ ଓ୍ବାର୍କ ଅର୍ଡର ପାଇଁ ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୧୭ ଲକ୍ଷ ଡିପୋଜିଟ କରିଥିଲେ । ନକଲି ଆଇଏସ ସୂର୍ଯ୍ୟମଣି ପରେ ୧ କୋଟି ୧୭ଲକ୍ଷ ଟଙ୍କା ବିଭିନ୍ନ ପର୍ଯାୟରେ ଓ୍ବାର୍କ ଅର୍ଡର ବେଳେ PWDର IAS ଷ୍ଟାମ୍ପ ଓ ଲେଟର ପ୍ୟାଡରେ ନେଇଥିଲେ । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ । ଆଉ ଏହି ବଡ ଠକେଇ ପାଇଁ ତାଙ୍କୁ ସହଯୋଗ କରିଥିଲେ ନକଲି PWD ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମିତ କୁମାର ।