ଭୁବନେଶ୍ବର: ଆଜି ଖାରବେଳ ଭବନଠାରେ ମେକଇନ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 27ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହିକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 5ଟି ପ୍ରକଳ୍ପର ଉଦଘାଟନ ଓ 22ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । 11 ଜିଲ୍ଲାର ବିଭିନ୍ନ ସ୍ଥାନରେ 10 ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପ ଗୁଡିକରେ ପାଖାପାଖି 8 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ 12 ହଜାର 142ଜଣ କର୍ମନିଯୁକ୍ତି ପାଇବେ ।
ଆସନ୍ତା 2020 ନଭେମ୍ବର 30ରେ ଅନୁଷ୍ଠିତ ହେବ ମେକଇନ ଓଡ଼ିଶାର ତୃତୀୟ କନକ୍ଲେଭ । ଏହି କନକ୍ଲେଭ ଡିସେମ୍ବର 4 ପର୍ଯ୍ୟନ୍ତ ଚାଲିବ । ମେକଇନ ଓଡ଼ିଶା କନକ୍ଲେଭର ଅଷ୍ଟମ ଦଫାର ଶିଳ୍ପପ୍ରକଳ୍ପ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତୃତୀୟ ମେକଇନ ଓଡିଶା କନକ୍ଲେଭ ପରେ ଓଡିଶା ଦେଶର ତୃତୀୟ ସର୍ବାଧିକ ପୁଞ୍ଜିନିବେଶ ସୃଷ୍ଟିକାରୀ ରାଜ୍ୟ ଭାବରେ ପରିଗଣିତ ହେବ ଓ ଏହାକୁ 5‘ଟି’ ଷ୍ଟାଟେଜିରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଉଦଘାଟିତ ହୋଇଥିବା 5ଟି ପ୍ରକଳ୍ପ ମଧ୍ୟରୁ ଯାଜପୁର ଜିଲ୍ଲାରେ ଭାରତ ମୋଟର୍ସ ପକ୍ଷରୁ ଇ-ଯାନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପରେ ମୋଟ 52.41 କୋଟି ପୁଞ୍ଜିନିବେଶ ହେବାକୁ ଥିବାବେଳେ 122ଜଣ ନିଯୁକ୍ତି ପାଇବେ । ସେହିପରି ରାଜଗାଙ୍ଗପୁର ଠାରେ ଓସିଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ 1994.98 କୋଟି ଟଙ୍କାର ଅତିରିକ୍ତ ପୁଞ୍ଜିନିବେଶରେ ୩୬୫ ଜଣ ନିଯୁକ୍ତି ପାଇବେ । ସେହିପରି ଶ୍ରୀ ସିମେଣ୍ଟ ପକ୍ଷରୁ 450.55କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏଥିରେ 243 ଜଣ ନିଯୁକ୍ତି ପାଇବେ ।