ଓଡିଶା

odisha

ETV Bharat / city

ଲୋକ ମହୋତ୍ସବରେ ପରିଣତ ହୋଇଛି ବନ ମହୋତ୍ସବ: ଜଙ୍ଗଲ ମନ୍ତ୍ରୀ

ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବୃକ୍ଷରାଜିର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସବୁଜିମା ଫେରାଇ ଆଣିବା ଆମ ପାଇଁ ଏକ ଆହ୍ବାନ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅଧିକ ପଢନ୍ତୁ...

ଲୋକ ମହୋତ୍ସବରେ ପରିଣତ ହୋଇଛି ବନ ମହୋତ୍ସବ
ଲୋକ ମହୋତ୍ସବରେ ପରିଣତ ହୋଇଛି ବନ ମହୋତ୍ସବ

By

Published : Jul 6, 2021, 7:44 AM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ 72ତମ ବନ ମହୋତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଭୁବନେଶ୍ବରର ବରଗଡ ହାଇସ୍କୁଲ ପରିସରେ ଏହି ଦିବସ ପାଳିତ ହୋଇଛି । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବୃକ୍ଷରାଜିର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସବୁଜିମା ଫେରାଇ ଆଣିବା ଆମ ପାଇଁ ଏକ ଆହ୍ବାନ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ନିକଟରେ ବାତ୍ୟା ୟସର କରାଳ ରୂପ ଦେଖିଛନ୍ତି ଓଡିଶାବାସୀ । ଖାଲି ୟସ ନୁହେଁ କେଡେ କେଡେ ବାତ୍ୟାର ମୁକାବିଲା କରିଛନ୍ତି ରାଜ୍ୟବାସୀ । ରାଜ୍ୟର ଉପକୂଳ ଅଞ୍ଚଳ ବିଶେଷ କରି ପ୍ରଭାବିତ ହୋଇଛି । ଭିତରକନିକାର ଘଞ୍ଚ ହେନ୍ତାଳ ବନ ‘ୟସ୍‌’ପ୍ରଭାବରୁ ନିକଟସ୍ଥ ଗ୍ରାମଗୁଡ଼ିକୁ ସୁରକ୍ଷା ଦେଇପାରିଥିଲା । ବ୍ୟାପକ ବନୀକରଣ ଦ୍ବାରା ହିଁ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଦୁର୍ବିପାକର ପ୍ରଭାବକୁ ରୋକି ହେବ କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବନୀକରଣ ଯୋଜନା ଯଥା- ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାରର୍ଶ୍ବ ବନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ରହିଛି ବୋଲି କହିଛନ୍ତି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଚଳିତ ୨୦୨୧-୨୨ ବର୍ଷରେ ରାଜ୍ୟରେ ସର୍ବମୋଟ ବିଭିନ୍ନ ଯୋଜନାରେ ୫୯୯ କୋଟି ଟଙ୍କା ବିନିଯୋଗ କରାଯାଇ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟରରେ ୬ କୋଟି ୬୭ ଲକ୍ଷ ୯୩ ହଜାର ଚାରାରୋପଣ କରାଯିବ । ୩ କୋଟି ୨୧ ଲକ୍ଷ ୬୦ ହଜାର ଚାରା ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରହିଛି । ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ଆମେ ସମସ୍ତେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଧିକରୁ ଅଧିକ ବୃକ୍ଷଚାରା ରୋପଣ କରି ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ । ଚଳିତ ବର୍ଷ ୧୩ କୋଟି ଚାରା ଉତ୍ପାଦିତ ହେବା ଓ ପ୍ରାୟ ସାଢେ ୮ କୋଟି ଚାରାରୋପଣ କରାଯିବା ଲକ୍ଷ୍ୟ ରହିଛି । ଜଙ୍ଗଲ ବିଭାଗ ବନ ମହୋତ୍ସବକୁ ଏକ ଲୋକ ମହୋତ୍ସବରେ ପରିଣତ କରିଛି ।

ସାରା ରାଜ୍ୟକୁ ସବୁଜିମାମୟ କରିବା ପାଇଁ ବିଭାଗ ଓ ଜନସାଧାରଣଙ୍କ ମିଳିତ ପ୍ରଚେଷ୍ଟା ନିଶ୍ଚିତ ରୂପେ ପ୍ରଶଂସନୀୟ । ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ଜଙ୍ଗଲ ପରିସୀମା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଚତୁର୍ଥ । ଆମ ରାଜ୍ୟରେ ୨୭୫ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି । ବ୍ୟାପକ ବନୀକରଣ ହେଲେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ପ୍ରତିହତ କରାଯାଇ ପାରିବ । ତେଣୁ ଅଧିକରୁ ଅଧିକ ବୃକ୍ଷଚାରା ଲାଗଯିବା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମୁଖ୍ୟ ଶାସନ ସଚିବ ଡ.ମୋନା ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details