ଭୁବନେଶ୍ବର: ଓଡିଶା ଫେରୁଛନ୍ତି ଆନ୍ଧ୍ରପ୍ରଦେଶରେ ଫସି ରହିଥିବା 70 ଶ୍ରମିକ । ‘ଓଡିଶା ମୋ ପରିବାର’ର ସହାୟତା ଯୋଗୁଁ ଆଜି ସମସ୍ତଙ୍କୁ ଫେରାଇ ଅଣାଯାଉଛି । ସମସ୍ତ ଶ୍ରମିକ ଶ୍ରୀ ଶ୍ରୀନିବାସ ସ୍ପିନଟେକ୍ସ ନାମକ ଏକ ସୂତାକଳରେ କାମ କରୁଥିଲେ । ଗତ ମାର୍ଚ୍ଚ 23ରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ 70ଜଣ(ଭଦ୍ରକର ୧୫ଜଣ ଓ ଗଞ୍ଜାମର ୫୫ଜଣ) ଓଡିଆ ଶ୍ରମିକ ଫସି ରହିଥିବା ନେଇ ଓଡିଶା ମୋ-ପରିବାରକୁ ସୂଚନା ଦେଇଥିଲେ ଶ୍ରୀ ଶେଷଦେବ ମିଶ୍ର ।
ସୂଚନାଯୋଗ୍ୟ, କୋରୋନା ଭୟାବହତାକୁ ଦେଖି ସୂତାକଳର ମାଲିକ 600 ଜଣ ଶ୍ରମିକଙ୍କୁ ସେମାନଙ୍କର 2 ମାସରୁ ଊର୍ଦ୍ଧ୍ବ ଦରମା ନ ଦେଇ ନିଜ ଘରୁକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶ୍ରମିକଙ୍କ ପାଖରେ ଟଙ୍କା ପଇସା ନଥିବାବେଳେ, ଦେଶର ବିଭିନ୍ନ ରାଜ୍ୟରେ କଟକଣା । ଫଳରେ ସେଠାରୁ ସେମାନେ ଫସି ରହିଥିଲେ । ଏନେଇ ସେମାନେ ପ୍ରଥମେ ‘ଓଡିଶା ମୋ ପରିବାର’ର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।