ଭୁବନେଶ୍ବର:16 ତମ ବିଧାନସଭାର 4ର୍ଥ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଦିବଙ୍ଗତ ବିଧାୟକ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ଗୃହକୁ ଦିନ 3ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ତେବେ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି 7ଟି ବିଲ୍ । ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କଲେ ଉଭୟ କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରବଳ ବିରୋଧ କରିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହୀନିପତି ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ଚିରି ଦେଇଛନ୍ତି ।
ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ବିଧାନସଭାରେ ଉପସ୍ଥାପିତ ହୋଇଛି 7ଟି ବିଲ୍ । ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଉପସ୍ଥାପନକୁ ନେଇ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କୋରୋନା ସମୟରେ ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି ସରକାର । ଏ ବିଲ୍ ସହ କରୋନାର କଣ ସମ୍ପର୍କ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଲ୍ ପାରିତ ହେଲେ କୋରୋନା ବନ୍ଦ ହୋଇଯିବ କି ? ଏହି ବିଲ ଆଣିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ନରସିଂହ । ବିଲ୍ ଆସିଲେ ବିଶ୍ବବିଦ୍ୟାଳୟରେ ସରକାରଙ୍କ ବିନା ପତ୍ର ହଲିବ ନାହିଁ । ସିନେଟ ଵ୍ୟଵସ୍ଥା ଉଠିଯିବ । ସିଣ୍ଡିକେଟ ବ୍ୟବସ୍ଥାରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ରହିବେ । ବିଲ୍ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି ।
ସେହିପରି ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ବିଜେପି ବିରୋଧ କରିଛି । କୋରୋନା ସମୟରେ ରାଜ୍ୟ ସରକାର ମାସ୍କ କିଣାରେ ଦୁର୍ନୀତି ଉଠାଇଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ବିଶ୍ବବିଦ୍ୟାଳୟର ସ୍ଵତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି । ବିଶ୍ବବିଦ୍ୟାଳୟକୁ ସରକାର ନିଜ ଅଧୀନରେ ରଖିବାକୁ ଚାହୁଁଛନ୍ତି । ଏହା ସହ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ଚିରି ଦେଇଛନ୍ତି ଏବଂ ଏହି ବିଲକୁ କଳା ବିଲ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ