ଭୁବନେଶ୍ବର: ରାଜ୍ୟରେ କୃଷିର ବିକାଶ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ‘‘ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’ ଆଧାରରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କର । କୃଷିର ବିକାଶ ଓ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରାଇବା ଲାଗି ପଦକ୍ଷେପ ନିଅ ।’’ ଏଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ୫-‘ଟି’ ଟାସ୍କ ଟିମ୍ର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି ।
କୃଷି ଭବନରେ ବୁଧବାର ୫-‘ଟି’ ଟାସ୍କ ଟିମର ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ୫-‘ଟି’ ଅଧୀନରେ ଅନ୍ତର୍ଗତ ୨୩ ଗୋଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲର ବିବିଧିକରଣ କରାଯାଇ ଅଧିକରୁ ଅଧିକ ଡାଲି, ତୈଳବୀଜ, କପା, ଲଘୁ ଶସ୍ୟ, ଫଳ ଓ ପନିପରିବା ଚାଷକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏହି ସବୁ କାର୍ଯ୍ୟକ୍ରମକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ଫାର୍ମ ପଣ୍ଡ ଖନନର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଛି ।