ଭୁବନେଶ୍ବର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି (ମଙ୍ଗଳବାର) ସମ୍ବଲପୁର ଯାଇ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଏବଂ ସେ ଅଞ୍ଚଳର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମା ସମଲେଶ୍ବରୀଙ୍କ ପୀଠ ଅନ୍ୟତମ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ବରୀ ପୀଠର ଘନିଷ୍ଟ ସମ୍ପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି । ଓଡିଶାର ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।
ମା’ ସମଲେଇଙ୍କ ପୀଠ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ - ସମଲେଶ୍ବରୀ ମନ୍ଦିର
ଖୁବଶୀଘ୍ର ହେବ ସମଲେଶ୍ବରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ । ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ ଆରମ୍ଭ । ଅଧିକ ପଢନ୍ତୁ...
ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ନିବାସ, ପାର୍କିଂ ସୁବିଧା ଓ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।ଏଥିରେ ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ୫-ଟି ସଚିବ ଭିକେପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ଏସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ଉତ୍ତରାଞ୍ଚଳ ଆରଡିସି ଡିଆଇଜି ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ