ଭୁବନେଶ୍ବର: ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ । ଖାଲି ପଡ଼ିଛି 1561 ଶିକ୍ଷକ ଓ 166 ଅଣଶିକ୍ଷକ ପଦବୀ । ଏହା ସହ 65 ଟି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ଉତ୍ତର ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷାବର୍ଷ 2022/23 ରୁ ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ଏଥି ନିମନ୍ତେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏବଂ ନବମ ଓ ଦଶମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ମାଗଣାରେ NCERT ପାଠ୍ୟପୁସ୍ତକ ବଣ୍ଟନ କରାଯାଉଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅନୁପାତ 25:1 ରହିଛି । ଶୈକ୍ଷିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ଆଦର୍ଶ ବିଦ୍ୟାଳୟରେ (ଷଷ୍ଠରୁ ଦଶମ ଏବଂ ଏକାଦଶ ଦ୍ବାଦଶ ବିଜ୍ଞାନ ତଥା ବାଣିଜ୍ୟ ଶ୍ରେଣୀ) ପାଇଁ 23ଟି ଶିକ୍ଷକ ଓ 5ଟି ଅଣଶିକ୍ଷକ ପଦବୀକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।