ଓଡିଶା

odisha

ETV Bharat / city

ବୀରମହାରାଜପୁରରେ ପ୍ରତିଷ୍ଠା ହେବ ୪ ନୂଆ ଜଳସେଚନ ପ୍ରକଳ୍ପ, ଉପକୃତ ହେବ ୯୪ଟି ଗାଁ - ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ

ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାପନ ହେବ ୪ଟି ନୂତନ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ । ଏ ନେଇ ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଞ୍ଚ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ବୀରମହାରାଜପୁରରେ ପ୍ରତିଷ୍ଠା ହେବ ୪ ନୂଆ ଜଳସେଚନ ପ୍ରକଳ୍ପ
ବୀରମହାରାଜପୁରରେ ପ୍ରତିଷ୍ଠା ହେବ ୪ ନୂଆ ଜଳସେଚନ ପ୍ରକଳ୍ପ

By

Published : Aug 10, 2021, 8:47 AM IST

ଭୁବନେଶ୍ବର: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାପନ ହେବ ୪ ଟି ନୂତନ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ । ଏ ନେଇ ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଞ୍ଚ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜୀବ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ସଂଯୋଜକ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ଏବଂ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଛି ।

ବୀର ମହାରାଜପୁର ନିର୍ବାଚନ ମଣ୍ଡଳୀର ମହାନଦୀ ଉତ୍ସରୁ ୨ଟି, ହରିହରଯୋର ଉତ୍ସ ଏବଂ ସରୁବାଲିଯୋର ଉତ୍ସରୁ ୧ଟି ଲେଖାଏଁ ନୂତନ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସ୍ଥାପନ ହେବ । ବୀରମହାରାଜପୁର ବ୍ଲକର ସଂଗ୍ରାମପୁର, କମିରା, ପିତାମହୁଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ପିତାମହୁଲରେ ମହାନଦୀ ଉତ୍ସ ଏବଂ କେନ୍‌ଝରିଆପାଲି, ମୁର୍ସୁଣ୍ଢି, ଲୁଟୁରପଙ୍କ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହରଯୋର ଉତ୍ସରୁ ୨-୩ଟି ମେଗା ଲିଫ୍ଟ ପ୍ରକଳ୍ପ କରାଯିବା ପାଇଁ ରହିଥିବା ପ୍ରସ୍ତାବ ଉପରେ ସ୍ଥିତି ଅନୁଧ୍ୟାନ ପାଇଁ ନିଷ୍ପତି ନିଆଯାଇଛି । ଏହି ସମସ୍ତ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ପ୍ରସ୍ତାବିତ ସରୁବାଲିଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଅଧିନରେ ଆସୁଛି ।

କୃଷକମାନଙ୍କ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ମହାନଦୀ ବା ହରିହରଯୋର ନଦୀ ଉତ୍ସରୁ ୨-୩ ଟି ମେଗାଲିଫ୍ଟ ପ୍ରକଳ୍ପ କରାଯିବାର ସମ୍ଭାବ୍ୟତାକୁ ଅନୁଧ୍ୟାନ କରାଯିବା ସମ୍ପର୍କରେ ପର୍ଯ୍ୟବେକ୍ଷଣ କରାଯାଇଛି । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜଉଁରାଭଉଁରା ପଞ୍ଚାୟତରେ ପ୍ରସ୍ତାବରେ ରହିଥିବା ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳ, ଘଞ୍ଚ ଜଙ୍ଗଲ ଦ୍ବାରା ପରିବେଷ୍ଟିତ ହୋଇଛି । ଏଠାରେ ପ୍ରକଳ୍ପ କରାଯିବା ସମ୍ଭବପର ହେବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜଳ ସମ୍ପଦ ମନ୍ତ୍ରୀ ଆଗତ ପ୍ରସ୍ତାବ ଉପରେ ମତବ୍ୟକ୍ତ କରିଛନ୍ତି । ଜଳ ସମ୍ପଦ ବିଭାଗ ତରଫରୁ ବୈଷୟିକ ଟିମ୍ ଦ୍ବାରା ଆବଶ୍ୟକ ଅନୁଧ୍ୟାନ କରାଯାଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଛନ୍ତି ।

କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନର କିପରି ସର୍ବୋତ୍ତମ ଉପଯୋଗ ହୋଇପାରିବ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଉଛନ୍ତି । ତାଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ଜଳସମ୍ପଦ ବିଭାଗର କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ମନ୍ତ୍ରୀ କହିଛନ୍ତି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ଓ ବୀର ମହାରାଜପୁର ବ୍ଲକରେ ସଂପ୍ରତି ୭ ଟି ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହିସବୁ ପ୍ରକଳ୍ପ ଦ୍ୱାରା ୧୦,୪୨୦ ହେକ୍ଟର ପରିମିତ ଅଞ୍ଚଳକୁ ଜଳସେଚନ ଯୋଗାଇ ଦିଆଯାଇପାରିବ । ୯୪ଟି ଗ୍ରାମର ବାସିନ୍ଦା ଉପକୃତ ହେବେ । ବୈଠକ ପରେ ମନ୍ତ୍ରୀ ରାଜୀବ ଭବନ ସ୍ଥିତ ଜଳସମ୍ପଦ ବିଭାଗର ସମସ୍ତ ଉପ ବିଭାଗ ପରିଦର୍ଶନ କରିଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧୀରେନ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details