ଓଡିଶା

odisha

ETV Bharat / city

25 years of Public Service: ଜନସେବାରେ 25 ବର୍ଷ, ନବୀନ ଓ Naveenism - ନବୀନ ଓ ନବୀନିଜମ

ଭୋଟ ରାଜନୀତିର ଯେଉଁ ମଞ୍ଜି ନବୀନ ବୁଣିଛନ୍ତି ତାହାର କାଟ ଖୋଜିବା ବିରୋଧୀଙ୍କ ପାଇଁ ଅସାଧ୍ୟ ହୋଇଛି। ସବୁ ବର୍ଗର ଭୋଟରଙ୍କ ପାଖରେ ପହଞ୍ଚି ପାରିଛନ୍ତି ନବୀନ । ପ୍ରାକୃତିକ ବିପତ୍ତି ହେଉ ବା କୋଭିଡ଼ ମ୍ୟାନେଜମେଣ୍ଟ, ମହିଳାଙ୍କ ପାଇଁ ମିଶନ ଶକ୍ତି ବା ଚାଷୀଙ୍କ ପାଇଁ କାଳିଆ, ସ୍ବାସ୍ଥ୍ୟ କାର୍ଡରେ ମାଗଣା ସ୍ବାସ୍ଥ୍ୟସେବା, ଆହାର କେନ୍ଦ୍ରରେ 5 ଟଙ୍କାରେ ଖାଇବା, ହକିରେ ଅଲିମ୍ପିକ୍ ମେଡାଲର ଉଚ୍ଚାଭିଳାଷ ହେଉ ବା ମେକ ଇନ୍ ଓଡ଼ିଶା, ନବୀନିଜମ୍ ଗାଥା ଆଣ୍ଟି-ଇନକମ୍ବେସି ବା ବିରୋଧର ଲହରକୁ ପ୍ରତିହତ କରିଛି । ଅଧିକ ପଢନ୍ତୁ

ନବୀନ ଓ ନବୀନିଜମ
ନବୀନ ଓ ନବୀନିଜମ

By

Published : Jun 8, 2022, 6:31 PM IST

ଭୁବନେଶ୍ବର: 51 ବର୍ଷ ପର୍ଯ୍ୟନ୍ତ ରାଜନୀତିର ଖଡି ଧରିନଥିବା ନବୀନଙ୍କ ବ୍ୟକ୍ତିତ୍ବ, ବିରୋଧୀଙ୍କ ପାଇଁ ଅଭେଦ୍ୟ ଚକ୍ରବ୍ୟୁହ । ଓଡିଶା ରାଜନୀତି ଯାହା କେବେ ଜାତି ବା ଧର୍ମର ଚିହ୍ନି ବର୍ଣ୍ଣ ଦେଖି ନାହିଁ, ସେଠି ଗୋଟିଏ ଫ୍ୟାକ୍ଟର କାମ କରିଛି ତାହା ହେଉଛି ବ୍ୟକ୍ତିତ୍ବ । ନବୀଙ୍କ ବ୍ୟକ୍ତିତ୍ବ ଯାହା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁତ ପଛକୁ ଠେଲି ଦେଇଛି । ତାଙ୍କ ବ୍ୟକ୍ତିତ୍ବର ଅସ୍ଥିତ୍ବ, ମେରୁଦଣ୍ଡ ବନିଛି ତାଙ୍କ ଦଳ ପାଇଁ । ଏବେ ନବୀନ ଲିଗାସୀକୁ ନେଇ ବଢୁଛି ବିଜେଡି । ଯାହାକୁ ଅତି ସରଳ ଭାଷାରେ କୁହାଯାଇପାରେ ନବୀନତ୍ୱ ବା ନବୀନିଜମ୍ (Naveenism)।

ପଚିଶ ବର୍ଷ ନବୀନ ଓ ନବୀନିଜମ୍

ରୁପେଲି ପରଦାର ତାରକା ନୁହଁନ୍ତି, ନା ଓଜସ୍ବନୀ ଭାଷଣରେ ଜନତାକୁ ବିମୋହିତ କରିବା କଳାରେ ପାରଙ୍ଗମ, ନାଁ କୌଣସି ବଡ଼ ଜନ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି, ତଥାପି ଓଡ଼ିଶା ଜନମତର ଶୀର୍ଷରେ, ଗତ 25 ବର୍ଷ ଓଡ଼ିଶାର ରାଜନୀତି ଇତିହାସର କୌଣସି ପୃଷ୍ଠା ତାଙ୍କ ବିନା ବୋଧ ହୁଏ ସମ୍ପୂର୍ଣ୍ଣ ହୁଏନି। ତାଙ୍କ ଦୃଢ଼ ସମର୍ଥକ କୁହନ୍ତି ରାଜ୍ୟ ରାଜନୀତିର ଶବ୍ଦକୋଷରେ ଯଦି ଅପ୍ରତିଦ୍ବନ୍ଦ୍ୱୀ, ଅପରାଜେୟ ଓ ଅଦ୍ବିତୀୟର ସମାନାର୍ଥ ବୋଧକ ଶବ୍ଦ ଖୋଜାଯାଏ ତାର ଉତ୍ତର ଗୋଟିଏ ଉତ୍ତର ମିଳେ 'ନବୀନ ପଟ୍ଟନାୟକ'। ରାଜ୍ୟର ସର୍ବାଧିକ ଏପର୍ଯ୍ୟନ୍ତ ସର୍ବକାଳୀନ ଲୋକପ୍ରିୟ ରାଜନେତା । ଭାରତୀୟ ରାଜନୀତିରେ ଜ୍ୟୋତି ବସୁଙ୍କ ପରେ ଯଦି କୌଣସି ରାଜନେତାଙ୍କୁ ଅସମ୍ଭବ ସଫଳତା ମିଳିଛି ସେ ହେଉଛନ୍ତି ନବୀନ ପଟ୍ଟନାୟକ । 2019 ବିଧାନସଭା ନିର୍ବାଚନ, ନିକଟରେ ସରିଥିବା ପଞ୍ଚାୟତ, ପୌର ନିର୍ବାଚନ ଓ ବ୍ରଜରାଜ ନଗର ଉପନିର୍ବାଚନ ନବୀନିଜମର ବଡ଼ ଉଦାହରଣ ଓଡ଼ିଶା ରାଜନୀତିରେ ଉପସ୍ଥାପିତ କରିଛି ।

ନବୀନ ରାଜନୀତିର ଅଭିଜ୍ଞ ରଣନୀତିଜ୍ଞ

ନବୀନଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ୱୀ କୁହନ୍ତି, ବିଜେଡ଼ିର ନିର୍ବାଚନୀ ସଫଳତା, କୌଣସି ବ୍ୟକ୍ତିତ୍ବର କରିସ୍ମା ନୁହେଁ, ଏହା ହେଉଛି ରାଜନୀତିର ଅଭିଜ୍ଞ ରଣକୌଶଳ । 51 ବର୍ଷରେ ଆକାଶଛତାରେ ଓଡ଼ିଶାରେ ଓହ୍ଲାଇଥିବା ନବୀନ ରାଜନୀତିରୁ ଯେମିତି ଆସିଛନ୍ତି ସେତିମି ଉଭାନ ହୋଇଯିବେ ବୋଲି ଭାବିଥିଲେ ଅନେକ ରାଜନେତା। ହେଲେ ପାଞ୍ଚ ପାଞ୍ଚଟି ନିର୍ବାଚନରେ ଦଳମତ ନିର୍ବିଶେଷରେ ଓଡ଼ିଶାର ବଡ଼ବଡ଼ ରାଜନେତାଙ୍କୁ ହତାସା ମିଳିବା ଶ୍ରେୟ ହୋଇଛି। ତୁଳନାତ୍ମକ ଭାବେ ଦେଖିଲେ ବିଜୁ ଲିଗାସିକୁ ନେଇ ରାଜନୀତିକୁ ଆସିଥିବା ନବୀନ, ଓଡ଼ିଶାର ଜନ ନାୟକ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ତୁଳନାରେ ନିର୍ବାଚନୀ ସଫଳତାରେ ବହୁତ ଆଗକୁ ଚାଲିଆସିଛନ୍ତି। ରାଜନୈତିକ ବିରୋଧୀଙ୍କ ଭାଷାରେ ଏହା କେବଳ ସମ୍ଭବ ହୋଇଛି ଅତି ସୁଚିନ୍ତିତ ବ୍ରାଣ୍ଡ ବିଲଡିଂ ଯୋଗୁଁ ।

ପ୍ରତିଦ୍ବଦ୍ୱୀଙ୍କ ଭାଷା

ବିରୋଧୀଙ୍କ ଭାଷାରେ ନବୀନଙ୍କ ରାଜନୀତି କ୍ଷମତା ସର୍ବସ୍ବ। ତେବେ ରାଜନୈତିକ ସମୀକ୍ଷକଙ୍କ ଭାଷାରେ ଦେଶରେ ଏହା ସବୁ ଆଞ୍ଚଳିକ ଦଳରେ ଦେଖାଯାଇଥାଏ। କିନ୍ତୁ ଏସବୁ ସତ୍ତ୍ବେ ରାଜନୀତିର ଗୋଲକଧନ୍ଦାରେ ନବୀନ ପଙ୍କରେ ପଦ୍ମଫୁଲ ସଦୃଶ। ନବୀନଙ୍କ ଘୋର ବିରୋଧୀଙ୍କ ଅଭିଯୋଗ ବିଗତ 2 ଦଶନ୍ଧି ଧରି ନିରଙ୍କୁଶ କ୍ଷମତାରେ ରହି ସେ ନିଜ ବିରୋଧୀଙ୍କୁ ରାଜନୈତିକ ଷଡଯନ୍ତ୍ରରେ ଛନ୍ଦି ଦେଇଛନ୍ତି। ସମର୍ଥକ କୁହନ୍ତି ଦେଶରେ ଆଞ୍ଚଳିକ ରାଜନୀତିରେ ଯେଉଁ ପ୍ରତିହିଂସା ରାଜନିତୀ ବିଭିନ୍ନ ରାଜ୍ୟରେ ଦେଖାଯାଇଛି, ସେ କ୍ଷେତ୍ରରେ ନବୀନ ଏକ ଆଦର୍ଶ ଶୈଳୀ ଉପସ୍ଥାପିତ କରିଛନ୍ତି। ନିଜର କଟ୍ଟର ବିରୋଧୀଙ୍କୁ ମଧ୍ୟ ନବୀନ କେବେବି ବ୍ୟକ୍ତିଗତ ଆକ୍ଷେପ କରୁଥିବା କେହି ଶୁଣି ନାହାନ୍ତି। ବିରୋଧୀ କୁହନ୍ତି ନବୀନ ଅଗଣତାନ୍ତ୍ରୀକ ଉପାୟରେ ବିରୋଧୀଙ୍କ ଗଡ଼ ଭାଙ୍ଗିଛନ୍ତି, ବିରୋଧୀ ନେତାଙ୍କୁ ନିଜ ସଂଗଠନରେ ଯୋଡ଼ିଛନ୍ତି, ନବୀନଙ୍କ ଦଳର ବରିଷ୍ଠ ନେତା କୁହନ୍ତି ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ବିଶ୍ବାସ କରନ୍ତି, ଜନମତକୁ ସବୁବେଳେ ସମ୍ମାନ ଦିଅନ୍ତି, ତା ମାନେ ନୁହେଁ ଆମେ ବିରୋଧୀଙ୍କୁ ଟ୍ରେନିଂ କ୍ୟାମ୍ପ କରି ବୁଝାଇବୁ କିପରି ରାଜନୀତି କରିବାକୁ ହୁଏ ଓ ନିର୍ବାଚନରେ କିପରି ଜିତିବାକୁ ପଡ଼େ। ବିରୋଧୀଙ୍କ ବଡ଼ ଅଭିଯୋଗ ରାଜ୍ୟରେ ଗଣତନ୍ତ୍ର ନାହିଁ, ଜନ ପ୍ରତିନିଧି, ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ପରିଚୟ ହଜିଯାଇଛି। ରାଜ୍ୟରେ ଅମଲା ଶାସନ ଚାଲିଛି। ତେବେ ବିଶ୍ଲେଷକଙ୍କ ଅନୁଶୀଳନ ନବୀନଙ୍କ ରାଜନୀତି ଅତି ସ୍ପଷ୍ଟ ଓ ସରଳ, କ୍ଷମତାର କେନ୍ଦ୍ରରେ ରହି ସର୍ବଜନ ହିତରେ ନୀତି ନିର୍ଧାରଣ ଓ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ।

ନବୀନ କାହିଁକି ଏତେ ଲୋକପ୍ରିୟ ?

ଭୋଟ ରାଜନୀତିର ଯେଉଁ ମଞ୍ଜି ନବୀନ ବୁଣିଛନ୍ତି ତାହାର କାଟ ଖୋଜିବା ବିରୋଧୀଙ୍କ ପାଇଁ ଅସାଧ୍ୟ ହୋଇଛି। ସବୁ ବର୍ଗର ଭୋଟରଙ୍କ ପାଖରେ ପହଞ୍ଚି ପାରିଛନ୍ତି ନବୀନ। ପ୍ରାକୃତିକ ବିପତ୍ତି ହେଉ ବା କୋଭିଡ଼ ମ୍ୟାନେଜମେଣ୍ଟ, ମହିଳାଙ୍କ ପାଇଁ ମିଶନ ଶକ୍ତି ବା ଚାଷୀଙ୍କ ପାଇଁ କାଳିଆ, ସ୍ବାସ୍ଥ୍ୟ କାର୍ଡରେ ମାଗଣା ସ୍ବାସ୍ଥ୍ୟସେବା, ଆହାର କେନ୍ଦ୍ରରେ 5 ଟଙ୍କାରେ ଖାଇବା, ହକିରେ ଅଲିମ୍ପିକ୍ ମେଡାଲର ଉଚ୍ଚାଭିଳାଷ ହେଉ ବା ମେକ ଇନ୍ ଓଡ଼ିଶା, ନବୀନିଜମ୍ ଗାଥା ଆଣ୍ଟିଇନକମ୍ବେସି ବା ବିରୋଧର ଲହରକୁ ପ୍ରତିହତ କରିଛି ।

ବିରୋଧକୁ ସଫଳ ପ୍ରତିହତ

ବିରୋଧୀଙ୍କ ଭାଷାରେ ନବୀନଙ୍କ ଜନ କଲ୍ୟାଣକାରୀ ଯୋଜନା ଭୋଟ ରାଜନୀତିର ବଡ଼ ଅଂଶୀଦାରଙ୍କୁ ସରକାରୀ ବ୍ୟବସ୍ଥାରେ ରହିଥିବା ତୃଟି ବିଚ୍ୟୁତିକୁ ଅଣଦେଖା କରିବାକୁ ପ୍ରୋତ୍ସାହିତ କରିଛି। ବିଭିନ୍ନ ସାମାଜିକ ମାନଦଣ୍ଡରେ ଓଡ଼ିଶା ଆଜି ତଳେ ରହିଛି, ବେକାରୀ ବଢ଼ିଛି, ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ଆୟର ଆସମାନତା ବଢୁଛି, ଧନି ଆହୁରି ଧନି ହୋଇଛି, ଗରୀବ ଆହୁରି ଗରୀବ ହୋଇ ସରକାରୀ ଯୋଜନାକୁ ଭରସା କରୁଛି। ଅତୀତର ଖଣି ଓ ଚିଟ୍ ଫଣ୍ଡ ଦୁର୍ନିତି ଆଜିର ଦିନରେ ପ୍ରସଙ୍ଗ ହୋଇ ରହିନାହିଁ। ରାଜ୍ୟରେ ପିସି ରାଜ ଚାଲିଛି, ମହିଳାଙ୍କ ବିରୋଧରେ ହିଂସା ବଢିଛି। ଶାସନରେ ଦୁର୍ନିତି ବିଢିବା ସହ ବିରୋଧୀ ଦଳଙ୍କ ସ୍ବର ନିସ୍ପ୍ରଭ ହୋଇଯାଇଛି।

ତେବେ କୋଡ଼ିଏ ବର୍ଷ କ୍ଷମତାରେ ରହିବାପରେ ନବୀନଙ୍କୁ ବଡ଼ ଧରଣର ବିରୋଧ ସାମ୍ନା କରିବାକୁ ପଡ଼ିଥିଲା ବିଜେପି ଠାରୁ। କେନ୍ଦ୍ରରେ କ୍ଷମତାରେ ବିଜେପିର କ୍ରମାଗତ ଦ୍ବିତୀୟ ଧର ପ୍ରତ୍ୟାବର୍ତ୍ତନ ସ୍ଥାନୀୟ ବିଜେପି ନେତୃତ୍ବକୁ ସଂଗଠିତ କରି ଗଢ଼ିତୋଳିଥିଲା। ହେଲେ ନବୀନ ଗଠନ କଲେ ଯୁବ ବାହିନୀ, ଦିନେ ଦୁର୍ନିତି ଓ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ପ୍ରତି ଶକ୍ତ ଥିବା ନବୀନର ନିଜ ଟିମ ମନ୍ତ୍ରୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପରିସ୍ଥିତି ସମ୍ଭାଳିବାକୁ ପଦରୁ ବାହା ନକରି ପଦରେ ଅବସ୍ଥାପିତ ରଖିଲେ। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିରୋଧୀଙ୍କ ଶକ୍ତ ଆଲୋଚନାକୁ ପ୍ରତିହତ କରିବାକୁ ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନ କିଭଳି ସୁସ୍ଥ ଓ ସରଳ ରହିଛି ତା ବିଷୟରେ ତଥ୍ୟ ରଖାଗଲା। 2019ରେ 2 ଟି ବିଧାନସଭା ଆସନରେ ଲଢି ନିଜର ଜନ ସମର୍ଥନ ପତିଆର ଉପସ୍ଥାପନ କରିଥିଲେ ନବୀନ। ସାମାଜିକ ଗଣମାଧ୍ୟମର ବ୍ୟବହାର, ରାଜ୍ୟରେ କୌଣସି ସ୍ଥାନରେ, କୌଣସି ପରିସ୍ଥିତିରେ ଭିସି ଯୋଗେ ତାଙ୍କ ଯୋଗସୂତ୍ର ସ୍ଥାପନ ନବୀନ ନିବାସ ବାହାରେ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ବ୍ୟକ୍ତିତ୍ବର କାନଭାସକୁ ଆହୁରି ବଢାଇବାରେ ସହାୟ ହୋଇଥିଲା। ରାଜ୍ୟର ବିଭିନ୍ନ ବର୍ଗଙ୍କ ପାଇଁ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମର ତୋଡ଼ ବିରୋଧୀଙ୍କ ପାଇଁ କାଳ ହୋଇଗଲା। ଅନେକ ସମୟରେ ନବୀନଙ୍କ କାର୍ଯ୍ୟକ୍ରମକୁ ବିରୋଧୀ ସୋ’ ମ୍ୟାନେଜ ମେଣ୍ଟ କହୁଥିବା ବେଳେ, ବିରୋଧୀଙ୍କ ବିରୋଧକୁ ସକାରାତ୍ମକ ଶୈଳୀରେ ସରକାରୀ ଯୋଜନା ମାଧ୍ୟମରେ ପ୍ରତିହତ କଲେ ନବୀନ । ଅନ୍ୟ ପକ୍ଷରେ ବିରୋଧୀ ଦଳ ମାନଙ୍କ ମଧ୍ୟରେ ବଢୁଥିବା ଅନ୍ତକନ୍ଦଳ, ବିରୋଧୀଙ୍କ ସଂଗଠନ ଶିଥିଳ ପଡ଼ିବା, ନବୀନଙ୍କ ପଲା ଭରି କଲା ଓ ଅତୀତରେ ବିଜେଡି଼ ଛାଡ଼ି ବିରୋଧିଙ୍କ ସହ ମିଶିଥିବା ନେତାଙ୍କ ପତିଆରା ମଧ୍ୟ ଫିକା ପକାଇଥିଲା।

ନବୀନଙ୍କ ଲିଡରସିପ

ଅଜୟ ଓ ଅପରାଜୟ ନେତାର ବ୍ୟକ୍ତିତ୍ବ ସହ ନିର୍ବାଚନର ମାଇକ୍ରୋମ୍ୟାନଜନମେଣ୍ଟ ନବୀନଙ୍କୁ ବନାଇଛି ସଫଳତମ ନେତା । ସଫଳତା ପାଇଁ କଠିନ ପରିଶ୍ରମ ରାଜନୀତିରେ ବି ଆବଶ୍ୟକ, ନବୀନ ତାଙ୍କ ପାର୍ଟିକ୍ୟାଡ଼ରଙ୍କୁ ଖାଲି ଭାଷଣରେ କହିନଥିଲେ, ଏଥିପାଇଁ ଅତି କଠିନ ରଣନୀତି ତିଆରି କରି କାର୍ଯ୍ୟରେ ପ୍ରତିପାଦିତ କରିଥିଲେ। ଅନେକ କହନ୍ତି ସାଧରଣ ରାଜନୈତିକ ଜୀବନରୁ ବ୍ୟତିକ୍ରମ ନବୀନ ଏକାନ୍ତ ଜୀବନଯାପନ, ଓଡ଼ିଆରେ କମ୍ କହିବା ବା ବେଶୀ ଇଂରାଜୀରେ କହିବା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ବଢାଇଛି । ଦଳରେ ଅତି ସୁଚିନ୍ତିତ ମ୍ୟାନେଜମେଣ୍ଟ ସବୁ ପ୍ରତିକୂଳ ପରିସ୍ଥିତିରେ ନବୀନଙ୍କୁ ଗୋଟିଏ ପାଦ ଆଗରେ ରଖିଛି । କ୍ଷମତାର ସିଂହାସନରେ 2 ଦଶକକୁ ଅଧିକା ସମୟ ବସିବା ପରେ ମଧ୍ୟ କ୍ଷମତା ଓ ଆସନ ପାଇଁ ସୃଷ୍ଟି ହେଉଥିବା କଳୁଷିତ ରାଜନୀତି ନବୀନଙ୍କ ଠାରୁ ବହୁ ଦୂରରେ ରହିଛି । ଅନେକ କୁହନ୍ତି ନବୀନଙ୍କ ରାଜନୀତିର ଭବିଷ୍ୟତ ବୋଧେ ପଢ଼ିପାରନ୍ତି । ସେଥିପାଇଁ ତାଙ୍କ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀକୁ ବିରୋଧୀ ଦଳ ସବୁଠୁ ବଡ଼ ନେତା ମଧ୍ୟ ପ୍ରଶଂସାରେ ପୋତି ଦିଅନ୍ତି ।

ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍, ଇଟିଭି ଭାରତ

ABOUT THE AUTHOR

...view details