ଓଡିଶା

odisha

ETV Bharat / city

ଗାନ୍ଧୀ ଜୟନ୍ତୀ ପାଳିବେ ରାଜ୍ୟ ସରକାର, ଆରମ୍ଭ ହେଲା ପ୍ରସ୍ତୁତି ବୈଠକ - ମହାତ୍ମା ଗାନ୍ଧୀ

ଅକ୍ଟୋବର 2ରେ ଜାତିର ଜନକଙ୍କ 150 ତମ ଜୟନ୍ତୀକୁ ମହା ସମାରୋହରେ ପାଳିବେ ରାଜ୍ୟ ସରକାର । ସ୍ବଂୟ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ବିଜୁ ଯୁବ ବାହିନୀକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବେ ସରକାର । ଏନେଇ ବୁଧବାର ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 11, 2019, 10:34 PM IST

ଭୁବନେଶ୍ବର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ । ବିଭିନ୍ନ ବିଭାଗର ସମନ୍ବିତ ଯୋଜନା କ୍ରମେ ଜନ୍ମବାର୍ଷିକୀକୁ ସମାରୋହ ଆକାରରେ ପାଳନ କରାଯିବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଅପରାହ୍ନରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗାନ୍ଧୀଙ୍କ ଜନ୍ମବାର୍ଷିକୀ ସମାରୋହ ପାଳନରେ ରାଜ୍ୟର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଜୁ ଯୁବ ବାହିନୀର ଯୁବବର୍ଗଙ୍କୁ ସାମିଲ କରାଯାଇ ଏହାକୁ ସାମୁଦାୟିକ ସଂପୃକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ଶାସନ ସଚିବ ଅଶୋକ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଅନୁପ କୁମାର ପାଣିଗ୍ରାହୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ନିର୍ଦ୍ଦେଶକ ରାଜା ପରିଜାଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ଓ ସେସବୁ କାର୍ଯ୍ୟକ୍ରମର ବ୍ୟାପକ ଭାବରେ ତୃଣମୂଳ ସ୍ତରରୁ ନାଗରିକଙ୍କ ସମେତ ଗାନ୍ଧୀବିଚାରସଂପନ୍ନ ବ୍ୟକ୍ତିମାନଙ୍କୁ ସଂପୃକ୍ତ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ଜାତିର ଜନକଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଶତାଧିକ ସଦସ୍ୟବିଶିଷ୍ଟ ଏହି କମିଟି ସାରା ରାଜ୍ୟରେ ସମାରୋହ ପାଳନ ନେଇ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ କେତେକ ଉପସମିତି ମଧ୍ୟ ଗଠନ କରାଯାଇଛି । ଗତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀଠାରୁ ଏଯାବତ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଉପରେ ବୈଠକରେ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କରାଯାଇଥିଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଦୁଇବର୍ଷ ବ୍ୟାପୀ ପାଳିତ ହେଉଥିବା ସମାରୋହ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ପରବର୍ତ୍ତୀ ସମୟରେ ବିଭିନ୍ନ ଉପସମିତି ଗୁଡ଼ିକର ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାମଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details