ଭୁବନେଶ୍ବର:ପ୍ରତି ପିଲା ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷାର ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ରବିବାର) ୪ ଜିଲ୍ଲାରେ ୧୩୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ । ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା, ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ରହିଛି । ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି ।