ଭୁବନେଶ୍ବର: ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ଶିକ୍ଷକ । ଏ ନେଇ ବେଙ୍ଗାଲୁରୁ ଗସ୍ତ କରିଛନ୍ତି 30 ଜିଲ୍ଲାରୁ ଚୟନ ହୋଇଥିବା 114 ଶିକ୍ଷକ । ବେଙ୍ଗାଲୁରୁ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ଚିତ୍ରଦୁର୍ଗରେ ଥିବା ପ୍ରତିଭା ବିକାଶ କେନ୍ଦ୍ରରେ ତାଲିମ ନେବେ ଏହି ଶିକ୍ଷକ । ଆସନ୍ତା ସୋମବାରରୁ ଆରମ୍ଭ ହେଉଥିବା ପ୍ରଶିକ୍ଷଣ ଶିବିର ୧୦ ଦିନ ଧରି ଚାଲିବ । ବିଜ୍ଞାନ ଏବଂ କାରିଗରୀ ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏ ନେଇ ପଦକ୍ଷେପ ନେଇଛି ।
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନୋନୀତ ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି । ଏପରି ପ୍ରଶିକ୍ଷଣଜନିତ ଉପଲବ୍ଧି ସେମାନଙ୍କୁ ଅଧିକ ସଶକ୍ତ କରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ସାମିଲ ହୋଇଛନ୍ତି । ପ୍ରଶିକ୍ଷଣ ପରେ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ତ୍ୱର ପ୍ରୟୋଗ କରିପାରିବେ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବ ।