ବ୍ରହ୍ମପୁର:ପାରିବାରିକ କଳହକୁ କେନ୍ଦ୍ର କରି ଥାନା ଆଗରେ ବିଷ ପିଇ ଦେଲେ ବିବାହିତ ମହିଳା । ଗୁରୁତର ଭାବରେ ମହିଳାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ସମ୍ମୁଖରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସହି ପାରିଲେନି ଯୌତୁକ ନିର୍ଯ୍ୟାତନା, ଥାନା ଆଗରେ ବିଷ ପିଇଲେ ମହିଳା ମିଳିଥିବା ସୂଚନା ଅନୁସାରେ, ଛତ୍ରପୁର ମହାବୀର ନଗରର ଏମ ଝିଲି ପାତ୍ରଙ୍କ ସହ ଏମ୍ ମୁନ୍ନା ପାତ୍ର ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୦ ଡିସେମ୍ବର ୮ରେ ପ୍ରେମ ବିବାହ କରିଥିଲେ । ହେଲେ ଶ୍ବଶୁର ଘର ପକ୍ଷରୁ ଅଧିକା ଯୌତୁକ ଦାବି କରି ଲିଲି ଏବଂ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇ ଆସୁଥିଲା । ଏନେଇ ଲିଲି ଓ ତାଙ୍କ ସ୍ବାମୀ ଗତ ଏକ ମାସ ତଳେ ଛତ୍ରପୁର ଥାନାରେ ଲିଖିତ ଭାବରେ ଜଣାଇଥିଲେ ।
ଏହାବି ପଢନ୍ତୁ:କେମିତି ରୋକିବେ ମାନବଚାଲାଣ, ପ୍ରଶିକ୍ଷଣ ନେଲେ ପୋଲିସ ଅଧିକାରୀ
ଏନେଇ ପୋଲିସ ଦୁଇ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନର ପନ୍ଥା ନ ବାହାରିବା ପରେ ଏହାକୁ ନେଇ ଥାନା ସମୁଖରେ ହିଁ ମହିଳା ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଗୁରୁତର ଭାବରେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା । ‘‘ ଝିଲି ପ୍ରେମ ବିବାହ କରିଥିଲେ ମଧ୍ୟ ପରିବାର ବର୍ଗ ବିବାହ ସମୟରେ ଦୁଇ ଲକ୍ଷ ଟଙ୍କା ସହିତ ୧୦ ଭରି ସୁନା ଯୌତୁକ ଭାବରେ ପ୍ରଦାନ କରିଥିଲେ । ହେଲେ ତଥାପି ଝିଲିଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା କହିଛନ୍ତି ଝିଲିଙ୍କ ବାପଘର ଲୋକେ ’’ । ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନ ଥିବାରୁ ଥାନା ପରିସରରେ ମହିଳା ଜଣକ ଏପରି ବିଷ ପିଇ ଦେଇଥିବା କୁହାଯାଇଛି ।
ଇଟିଭି ଭାରତ,ବ୍ରହ୍ମପୁର