ବ୍ରହ୍ମପୁର:କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ(Union minister Darshana Jardosh) ତିନିଦିନିଆ ଗଞ୍ଜାମ ଗସ୍ତରେ ଆସିବେ । ଏ ନେଇ ଜୋରଦାର ଦଳୀୟ ପ୍ରସ୍ତୁତି ହୋଇଛି । ଆସନ୍ତା ଅକ୍ଟୋବର ୧୨ ଠାରୁ ୧୪ ତାରିଖ ତିନି ଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କ ଗଞ୍ଜାମ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରିଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନ୍ ରୋଡ଼ ସ୍ଥିତ ସରକିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ଆସନ୍ତା ୧୨ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟ ତଦାରଖ କରିବେ । ଏହା ପରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପଦାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବ୍ରହ୍ମପୁରର ପ୍ରସିଦ୍ଧ ପାଟ ବୁଣାକାରଙ୍କ ମାନଙ୍କୁ ସାକ୍ଷାତ କରିବା ସହ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବେ । ୧୩ ତାରିଖ ଦିନ କୁକୁଡ଼ାଖଣ୍ଡି ଠାରେ ଏବଂ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ କେନ୍ଦ୍ରରୁ ଆସୁଥିବା ଅନୁଦାନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଅପରାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଦେବେ ।
୧୪ ତାରିଖ ସକାଳେ ଗୋପାଳପୁର ଠାରେ ସମୁଦ୍ର କୂଳରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେବା ସହ କୋଷ୍ଟଗାର୍ଡ କର୍ମଚାରୀମାନଙ୍କୁ ସାକ୍ଷାତ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କେନ୍ଦ୍ର ମନ୍ତ୍ରୀ ଛତ୍ରପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେବେ । ପରେ ରମ୍ଭା ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ତିନିଦିନିଆ ଗସ୍ତକୁ ନେଇ ଶନିବାର ଦଳ ପକ୍ଷକୁ ବସିଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ପଦାଧିକାରୀଙ୍କୁ ବିଭିନ ଦାୟିତ୍ବ ଦିଆଯାଇଥିଲା । ପୂର୍ବରୁ ଜୁଲାଇ ମାସରେ ଗଞ୍ଜାମ ହିଞ୍ଜିଳକାଟୁ ଗସ୍ତରେ ଆସିଥିଲେ ବୟନ ଶିଳ୍ପ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷ ।