ବ୍ରହ୍ମପୁର: ବିଦ୍ୟାଳୟର ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ କେୟାର ହସ୍ପିଟାଲ କରାଯାଇ ସଂକ୍ରମିତ ବ୍ୟକ୍ତି ତଥା କ୍ବାରେଣ୍ଟାଇନ ସେଣ୍ଟର ରୂପେ ବ୍ୟବହୃତ ହେଉଥିଲା । ମାତ୍ର ଏବେ ଉକ୍ତ ସେଣ୍ଟର ଗୁଡିକ ଅନେକ ଦିନହେଲା ବନ୍ଦ ହୋଇସାରିଛି । ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ କେଉଁ ସମୟରେ ମଧ୍ୟ ବିଦ୍ୟାଳୟ ଗୁଡିକ ଖୋଲାଯିବ । ଏଣୁ ବିଦ୍ୟାଳୟ ଗୁଡିକୁ ପୂର୍ବ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।
ବିଦ୍ୟାଳୟ ଗୁଡିକରେ ପରିବେଶ ସଫେଇ, ଆବଶ୍ୟକୀୟ ସରଞ୍ଜାମର ମରାମତି, ବୃକ୍ଷରୋପଣ ଓ ରଙ୍ଗ ଦେବାକୁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ସହକାରୀ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସେହି ସବୁକୁ ସଜାଡିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପାଳ ଜହିଛନ୍ତି ଯେ, ପରିଶ୍ରାଗାର ଓ ବିଦ୍ୟାଳୟ ପରିସର ସଫେଇ କରି ଏହାର ପରିବେଶକୁ ସୌନ୍ଦର୍ଯ୍ୟକରଣ, ବିଦ୍ୟାଳୟରେ ବୃକ୍ଷରୋପଣ ସୃଷ୍ଟି କରାନ୍ତୁ ।
ବିଦ୍ୟାଳୟରେ ଆବଶ୍ୟକ ପଡୁଥିବା ମରାମତି କାର୍ଯ୍ୟକୁ ସର୍ବଶିକ୍ଷା ଅଭିଯାନରେ ବୈଷୟିକ କର୍ମକର୍ତ୍ତାଙ୍କୁ ନେଇ ତୁରନ୍ତ ମରାମତି କରାଯାଉ । ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରୁ ଯେମିତି ବାଦ ପଡିବ ନାହିଁ । ସମ୍ପ୍ରତି ଶିକ୍ଷକଗଣ ନିଜ ହେଡକ୍ବାର୍ଟରରେ ରହୁ ନଥିବା ନଜରକୁ ଆସୁଛି । ଏ ଦିଗରେ ସତର୍କ ରୁହନ୍ତୁ । ପୂଜା ଛୁଟିରେ କୌଣସି ଶିକ୍ଷକ ନିଜ ହେଡକ୍ବାର୍ଟର ଛାଡି ଯିବେନାହିଁ ସେମାନେ ଏହିସବୁ କାର୍ଯ୍ୟ ପରିଚାଳନା କରିବେ ।