ଓଡିଶା

odisha

ETV Bharat / city

ମା’ ତାରାତାରିଣୀଙ୍କ ଚୈତ୍ରମେଳା, ଜିଲ୍ଲା ବାହାର ଲୋକଙ୍କ ପାଇଁ କଟକଣା - Maa Taratareni

ଚୈତ୍ରମେଳାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଯାତ୍ରା ପୂର୍ବରୁ ସେବାୟତ ମାନଙ୍କର ହେବ କୋଭିଡ୍ ପରୀକ୍ଷା । ଅଧିକ ପଢନ୍ତୁ...

ଚୈତ୍ରମେଳା
ଚୈତ୍ରମେଳା

By

Published : Mar 13, 2021, 7:50 AM IST

ବ୍ରହ୍ମପୁର: ମା’ ତାରାତାରିଣୀଙ୍କ ଚୈତ୍ରମେଳାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ମାଆଙ୍କ ଚୈତ୍ରମେଳା ଆୟୋଜିତ ହେବ । ଗଞ୍ଜାମବାସୀ ମାଆଙ୍କ କେବଳ ଦର୍ଶନ କରିପାରିବେ ଏବଂ ଯାତ୍ରା ପୂର୍ବରୁ ମନ୍ଦିର ସେବାୟତ ମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍ ଓ କୋଭିଡ୍ ପରୀକ୍ଷା କରାଯିବ ବୋଲି ବୈଠକରେ କୁହାଯାଇଛି ।

ଚୈତ୍ରମେଳା

ବିଗତ ବର୍ଷ କୋଭିଡ୍ କଟକଣା ଯୋଗୁଁ ମା ତାରାତାରିଣୀଙ୍କ ଦୁଇଟି ଚୈତ୍ର ମେଳା ଭକ୍ତଙ୍କ ପାଇଁ ହୋଇ ପାରିଥିଲା । କିନ୍ତୁ ଅନ୍ୟ ପାଳି ଗୁଡିକ ମାଙ୍କର ବିଧିବିଧାନ ଅନୁଯାୟୀ ବିନା ଭକ୍ତରେ ଆୟୋଜନ ହୋଇଥିଲା । ହେଲେ ମାଆଙ୍କ କୃପା ଏବଂ ଆଶୀର୍ବାଦ ଯୋଗୁଁ କୋରୋନା କବଳରୁ ଜିଲ୍ଲା ବର୍ତ୍ତମାନ ଭଲ ସ୍ଥିତିରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ପ୍ରସ୍ତୁତି ବୈଠକରେ କହିଛନ୍ତି ।

ଗତ ଜାଗର ମେଳା ନିମନ୍ତେ ବ୍ରହ୍ମପୁର ରାମଲିଙ୍ଗେଶ୍ବର ମନ୍ଦିର ନିକଟରେ କୋଭିଡ୍ କଟକଣା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯେଉଁଭଳି ଭାବେ ଭଜନ ସମାରୋହ କେବଳ ଜିଲ୍ଲାବାସୀଙ୍କୁ ନେଇ ଆୟୋଜିତ ହୋଇଥିଲା ଠିକ୍ ସେହିପରି ମାଆଙ୍କ ଚୈତ୍ର ପର୍ବ ପାଳନ କରାଯିବ । ଚଳିତ ବର୍ଷର ମେଳା ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବାରୁ ଭକ୍ତଗଣ କିଭଳି ବିନା ଦ୍ବିଧାରେ କୋଭିଡ୍ ନିୟମ ଅନୁପାଳନ କରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ଯେଉଁମାନେ କୋଭିଡର ଦୁଇଟି ଟିକା ନେଇନାହାନ୍ତି ସେମାନେ ସତର୍କତା ପୂର୍ବକ ମେଳାକୁ ଆସିବାକୁ କୁହାଯାଇଛି । କେବଳ ଜିଲ୍ଲାବାସୀ ମା’ଙ୍କର ଦର୍ଶନ କରିପାରିବେ । ଜିଲ୍ଲା ବାହାରୁ କି ଅନ୍ୟ ରାଜ୍ୟର ଭକ୍ତଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ର କି ଅନ୍ୟ ରାଜ୍ୟର ବ୍ୟକ୍ତି ମେଳାକୁ ନଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଯେଉଁ ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଆସୁଛନ୍ତି ସେମାନେ କୋଭିଡ୍ ନିୟମ ଅନୁପାଳନ କରି ଠିକ୍ ରୂପେ ମାସ୍କ ପିନ୍ଧି, ସାନିଟାଇଜେସନ୍, ହାତ ଧୋଇବା ଇତ୍ୟାଦି କରି ଦର୍ଶନ କରିବାକୁ ଆସନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ମନ୍ଦିର ମଧ୍ୟକୁ ପର୍ଯ୍ୟାୟ କ୍ରମେ ଧାଡି ବାନ୍ଧି ମାଆଙ୍କ ଦର୍ଶନ କରିପାରିବେ । ଥର୍ମାଲ ସ୍କ୍ରିନିଂ, ଅକ୍ସି ମିଟର ଓ ଆବଶ୍ୟକ ସ୍ଥଳେ ଆଣ୍ଟିଜେନ୍ ପରୀକ୍ଷା କରାଯିବ ।

ମନ୍ଦିର ଉପରବେଢାରେ କୌଣସି ବ୍ୟକ୍ତି ବସିବେ ନାହିଁ କି ଗହଳି କରିବେ ନାହିଁ । ଉପର ବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ବନ୍ଦ କରାଯାଇଛି । ଗୁଟଖା ସେବନ ଓ ପାନଛେପକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମନ୍ଦିର ତଳ ସ୍ଥାନରେ ଭକ୍ତ ମାନେ ମୁଣ୍ଡନ କରିପାରିବେ । ମୁଣ୍ଡନ କରୁଥିବା ବ୍ୟକ୍ତି ବିଶେଷଙ୍କ ବୟସ 60ରୁ ଉର୍ଦ୍ଧ୍ବ ହେବ ନାହିଁ ଓ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇ ଅନୁମତି ପ୍ରଦାନ କରାଯିବ । କୌଣସି ଖାଇବା ଖାଦ୍ୟ ମନ୍ଦିର ଉପରେ ବିକ୍ରି କରାଯିବ ନାହିଁ କିମ୍ବା ଖାଦ୍ୟ ପରିବେଷଣ ହେବ ନାହିଁ । ଯାନବାହନ ରଖିବା ସ୍ଥାନରେ ଯାନବାହନ ଗୁଡିକ ରଖାଯିବ, ବସ୍ ଷ୍ଟାଣ୍ଡରେ ବସ୍ ରହିବ, ମନ୍ଦିରକୁ ଯିବାକୁ ବ୍ୟବସ୍ଥା କରାଯାଇଥିବା ବସରେ ଯାତ୍ରୀ ମାନେ ନିର୍ଦ୍ଧାରିତ ବସ୍ ଭଡା ଦେଇ ଘାଟି ରାସ୍ତାରେ ମନ୍ଦିର ନିକଟକୁ ଯାଇ ପାରିବେ ବୋଲି କୁହାଯାଇଛି ।

ଘାଟି ରାସ୍ତା ଦେଇ ଚାଲି ଚାଲି ଭକ୍ତଙ୍କ ଯିବାକୁ ବାରଣ କରାଯାଇଛି । ରୋପ୍ ଓ୍ବେ ଓ ପାହାଚ ରାସ୍ତା ଦେଇ ଯାତ୍ରୀମାନେ ଉପରକୁ ଚଢିପାରିବେ । ପୋଲିସ ବିଭାଗ ପକ୍ଷରୁ ଭକ୍ତଙ୍କ ଦର୍ଶନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ମନ୍ଦିର ବେଢାରେ ଭକ୍ତଗଣ ଯେପରି ଖରାଦାଉରୁ ରକ୍ଷାପାଇବେ ସେଥି ସକାଶେ ଛାଇ ଓ ମ୍ୟାଟର ବ୍ୟବସ୍ଥା ହେବ । ସ୍ଥାନେ ସ୍ଥାନେ ପାନୀୟ ଜଳଯୋଗାଣ କରାଯିବ । ତାରାତାରିଣୀ ଚତୁଃପାର୍ଶ୍ବରେ ଜରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏଥିପାଇଁ ଦୋକାନ ଗୁଡିକୁ ଚଢାଉ କରାଯାଇ ଜିରୋ ପ୍ଲାଷ୍ଟିକ୍ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଦୋକାନୀ ମାନେ କୋଭିଡ୍ ନିୟମ ଅନୁଯାୟୀ ଦୋକାନ ସମ୍ମୁଖର 5ମି. ନିଜେ ସଫାସୁତୁରା ରଖିବେ । ସଫେଇ କାର୍ଯ୍ୟ, ଜୋତା ଷ୍ଟାଣ୍ଡ, ଶୌଚାଳୟ, ଆଲୁଅ ବ୍ୟବସ୍ଥା, ନଡିଆ ଭାଙ୍ଗିବା ସ୍ଥାନ ଇତ୍ୟାଦି ବିଷୟ ନେଇ ଆଲୋଚନା ହୋଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନଦୀ ଅଞ୍ଚଳରେ ଅସ୍ଥାୟୀ ସେବା କେନ୍ଦ୍ର ସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details