ବ୍ରହ୍ମପୁର: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକୁ ପ୍ରତିବାଦ କରି ବିଜେପିର ଭର୍ଚୁଆଲ ଗଣଧାରଣା । ବର୍ତ୍ତମାନର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ବିଜେପି ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଦିଆଯାଇଛି ଗଣଧାରଣା । ଗୁରବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ପଶ୍ଚିମବଙ୍ଗ ନିର୍ବାଚନୀ ପରବର୍ତ୍ତୀ ହିଂସା ପ୍ରତିବାଦରେ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଏଭଳି ଗଣଧାରଣା ଦିଆଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।
ସୂଚନାନୁଯାୟୀ ଗତ ମେ' ୨ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗରେ ଅଦ୍ୟାବଧି ୧୭ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯିବା ସହ ବହୁ ମହିଳା କାର୍ଯ୍ୟକର୍ତ୍ତାଙ୍କର ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିବା ଦଳ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ଅନ୍ୟତମ ଅତିଥି ମଧ୍ୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇ ପଶ୍ଚିମବଙ୍ଗରେ ଚାଲୁଥିବା ହିଂସା ଏହା ସ୍ପଷ୍ଟ କରୁଛି ଯେ ପଶ୍ଚିମବଙ୍ଗର ସରକାର ଗଢିଥିବା ଟି.ଏମ୍.ସି ଦଳ ଯେଉଁ ଖେଳା ହେବେ ନାରା ଦେଉଥିଲା ତାହା ଏହି ହିଂସାର କାର୍ଯ୍ୟକଳାପକୁ ଇଙ୍ଗିତ କରୁଥିଲେ ।