ବ୍ରହ୍ମପୁର: ଶିକ୍ଷା ମନ୍ଦିରରେ କୁକୁରର ମୁହଁ ଏବଂ ଗୋଡ଼କୁ ବାନ୍ଧି ରଖିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ନୀରିହ କୁକୁରଙ୍କୁ ଅକଥନୀୟ ନିର୍ଯାତନା ଦେବା ଘଟଣାର ତଦନ୍ତ ପରେ ଜଣେ ପିଅନ ଓ ତିନି ମହିଳା ସୁରକ୍ଷା କର୍ମୀଙ୍କୁ କରାଗଲା ବହିଷ୍କାର ।
ସୂଚନା ଅନୁଯାୟୀ, ବୁଲା କୁକୁର ଗୁଡିକ ଛାତ୍ରୀ ନିବାସ ହଷ୍ଟେଲରେ ପଶୁଥିଲେ । ଏନେଇ କର୍ତ୍ତୃପକ୍ଷଙ୍କ ଜାଣତରେ ବାହାରୁ କିଛି କର୍ମଚାରୀ ଏବଂ ବିଶ୍ବବିଦ୍ୟାଳୟର କେତେକ କର୍ମଚାରୀ ମିଳିତ ଭାବରେ ଏପରି କରିଥିଲେ । ଏହାଛଡା ଉଦ୍ଧାର କରିବାକୁ ଯାଇଥିବା ପଶୁପ୍ରେମୀ ଓ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଏନେଇ ବିରୋଧ କରିଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ବର ସହ ନିଆଯାଇଥିଲା । ତେବେ କେଉଁ ପରିସ୍ଥିତିରେ କୁକୁରଙ୍କୁ କିଏ ଏପରି କଲା ସେ ନେଇ ଏକ ତଥ୍ୟ ଅନୁସନ୍ଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା ।
ଏନେଇ ତଦନ୍ତ ରିପୋର୍ଟ ପାଇଲା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ହଷ୍ଟେଲରେ ରହିଥିବା ଜଣେ ପିଅନ ଓ ତିନି ମହିଳା ସୁରକ୍ଷା କର୍ମୀ ଦାୟିତ୍ବ ତୁଲାଇ ନ ଥିବା ଯୋଗୁଁ ସମ୍ପୂର୍ଣ୍ଣ କାର୍ଯ୍ୟରୁ ବହିଷ୍କାର କରିଥିବା କହିଛନ୍ତି । ତେବେ ଏନେଇ ତଦନ୍ତ ଜାରି ରହିବ ଏହି କାର୍ଯ୍ୟରେ ସଂପୃକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀ ସଭ୍ୟା ବିଷ୍ଣୁ ପ୍ରିୟା ପାତ୍ର କୁଳପତି ଙ୍କୁ ଭେଟି ଏହି ବିଷୟ ଉପରେ ଆଲୋଚନା କରିଥିବା ନେଇ ମଧ୍ୟ ଜଣାପଡିଛି।