ବ୍ରହ୍ମପୁର: ଏମକେସିଜି ମେଡିକାଲର ଦ୍ବିତୀୟ ଫାଟକ ଖୋଲାଯିବା ସହ ରୋଗୀ ସେବାରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୁଦ୍ଧରା ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାନବ ସୁରକ୍ଷାଧିକାର ମଞ୍ଚ । ଏଥିପାଇଁ ଘଣ୍ଟ ମାଧ୍ୟମରେ ପ୍ରତିବାଦ କରାଯାଇଛି । ବାରମ୍ବାର ଦାବି ସତ୍ତ୍ବେ ବି ଏଥିପ୍ରତି ପଦକ୍ଷେପ ନିଆଯାଉ ନଥିବା ବେଳେ ଏହି ଆନ୍ଦୋଳନ ୧୦୧ ସପ୍ତାହରେ ପହଞ୍ଚିଛି ।
ବ୍ରହ୍ମପୁରରେ ରୋଗୀଙ୍କ ସୁବିଧା ପାଇଁ ଗତ ନଅ ବର୍ଷ ତଳେ ସହରର ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଏମକେସିଜି ମେଡିକାଲର ଦ୍ବିତୀୟ ଫାଟକ ପ୍ରତିଷ୍ଠା ହୋଇଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ହେଲେ ତାହାକୁ ତାଲା ପକାଯାଇ ରଖାଯାଇଛି । ଫଳରେ ଆସିକା ଓ ଭଞ୍ଜନଗର ଭଳି ଅଞ୍ଚଳରୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ନାନା ହଇରାଣ ହରକତ ହେଉଥିବା ଦେଖା ଯାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉନଥିବା ନେଇ ସମାଲୋଚନା କରାଯାଇଛି ।