ଓଡିଶା

odisha

ETV Bharat / city

'ହୀରା ବୋତାମ ଅଧିକ ପସନ୍ଦ, ରଖିଛନ୍ତି 80 ଦଶକର ଆମ୍ବାସାଡାର'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପଞ୍ଚମଥର ପାଇଁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏହି ସମୟରେ ସମ୍ପତ୍ତି ତାଲିକା ନେଇ ନବୀନ ସତ୍ୟପାଠ ଦାଖଲ କରିଛନ୍ତି ।

By

Published : Mar 20, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପଞ୍ଚମଥର ପାଇଁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏହି ସମୟରେ ସମ୍ପତ୍ତି ତାଲିକା ନେଇ ନବୀନ ସତ୍ୟପାଠ ଦାଖଲ କରିଛନ୍ତି । ନବୀନଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୩ କୋଟି ୬୪ ଲକ୍ଷ ଟଙ୍କା ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କା । ନବୀନ ପଟ୍ଟନାୟକଙ୍କ ବାର୍ଷିକ ଆୟ ୨୧ ଲକ୍ଷ ୧୭ ହଜାର ୨୨୩ ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନବୀନ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଏୟାରଫିଲଡ୍ ପୋଲିସ ଷ୍ଟେସନର ଏରୋଡ୍ରମ ଗେଟସ୍ଥିତ ପ୍ଲଟ ନଂ ୧୨୦୦/୨୩୧୬ ଏବଂ ୧୨୦୦କୁ ନିଜର ସ୍ଥାୟୀ ଠିକଣା ଭାବରେ ଦର୍ଶାଇଛନ୍ତି । ୧୯୬୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବି.ଏ ପାସ କରିଥିବା ନବୀନ ପରବର୍ତ୍ତୀ ସମୟରେ ଓଡିଶା ରାଜନୀତିରେ ପାଦ ଥାପି ବାପାଙ୍କର ବିୟୋଗ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନେଇଥିଲେ ଦାୟିତ୍ୱ ।

ମୁଖ୍ୟମନ୍ତ୍ରୀ ନିଜ ହାତରେ ମାତ୍ର ୨୫ ହଜାର ଟଙ୍କା ରଖିଥିବା ସତ୍ୟପାଠରେ ଦର୍ଶାଇଥିବାବେଳେ ନବୀନ ନିବାସର ଗତ ୨୦୧୭ ମସିହା ଅଗଷ୍ଟ ୧୮ରେ କରାଯାଇଥିବା ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ନବୀନ ନିବାସର ଦୁଇ ତୃତୀୟାଂଶ ମାଲିକାନା ନବୀନଙ୍କ ନାଁରେ ରହିଛି । ଏହା ସହିତ ଦିଲ୍ଲୀ ଠାରେ ରହିଥିବା ଏପି.ଜେ ଅବଦୁଲ କଲାମ ରୋଡ ଘରର ମୂଲ୍ୟ ୨୦୧୪ ସେପ୍ଟେମ୍ୱର ୨୨ ତାରିଖ ସୁଦ୍ଧା ଆନୁମାନିକ ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ପ୍ରକାଶ ଯେ, ନବୀନଙ୍କ ନାଁରେ ଫରିଦାବାଦରେ ଚାଷଜମି ଓ ଦିଲ୍ଲୀ ଘରେ ନବୀନଙ୍କ ୫୦% ଭାଗ ଅଛି ।

ସେହିପରି ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ନବୀନ ଆୟକର ବିଭାଗ ନିକଟରେ ମୋଟ ୨୧ ଲକ୍ଷ ୧୭ ହଜାର ୨୨୩ ଟଙ୍କା ବାର୍ଷିକ ରିଟର୍ଣ୍ଣ ଫାଇଲ୍ ଦେଇଥିବା ଦର୍ଶାଇଥିବାବେଳେ ପ୍ୟାନ୍ କାର୍ଡ ନଂ AAEPP0304J ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ଅସ୍ଥାବର (MOVABLE ASSETS) ସମ୍ପତ୍ତିର ପରିମାଣ ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କା ୫୨ ପଇସା ରହିଥିବା ଦର୍ଶାଇଛନ୍ତି ।

ମୁଖ୍ୟମନ୍ତ୍ରୀ ୧୯୮୦ ମଡେଲର ଏକ ଆମ୍ୱାସଡର କାରକୁ ନିଜ ପାଖରେ ରଖିଥିବାବେଳେ ତାହାର ରେଜିଷ୍ଟ୍ରେସନ ନଂ -ଓ.ଆର୍.-୦୨-ଏ-୭୦୦୭ ଏବଂ ଏହାର ବର୍ତ୍ତମାନର ମୂଲ୍ୟ ୮, ୯୦୫ ଟଙ୍କା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମୁଖ୍ୟମନ୍ତ୍ରୀଙ୍କ ହୀରା ବୋତାମ ଅଧିକ ପସନ୍ଦ । ଏହାସହ ସେ ନିଜ ପାଖରେ ରୁବିସ୍, ଡାଇମଣ୍ଡ ଏବଂ ରୂପା ଭଳି ପାଞ୍ଚ ହଳ ବୋତାମ ରଖିଥିବା ଏବଂ ଗତ ୨୦୧୪ ମସିହା ସୁଦ୍ଧା ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୨ ହଜାର ୨୫୨ ଟଙ୍କା ବୋଲି ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ମୂଲ୍ୟବାନ ସମଗ୍ରୀକୁ ମିଶାଯାଇ ମୋଟ ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କା ୫୨ ପଇସା ବୋଲି କୁହାଯାଇଛି ।

ସେହିପରି ଫରିଦାବାଦ ଜିଲ୍ଲାର ଟିକିରିଖେରା ଗ୍ରାମରେ ୨୨.୭ ଏକର ଚାଷ ଜମି ରହିଥିବାବେଳେ ତାହାର ଗତ ୨୦୧୭ ମସିହା ମାର୍ଚ୍ଚରେ କରାଯାଇଥିବା ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ଦର୍ଶାଯାଇଛି ।

ନବୀନଙ୍କ ବ୍ୟାଙ୍କ ଜମାକୁ ଅନୁଧ୍ୟାନ କଲେ ନୂଆଦିଲ୍ଲୀର ଜନପଥଠାରେ ରହିଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ୬ ଲକ୍ଷ ୫୦ ହଜାର ୬୪୮ ଟଙ୍କା ୬୩ ପଇସା ଜମା ରହିଥିବା ଉଲ୍ଲେଖ କରାଯାଇଥିବାବେଳେ ଦିଲ୍ଲୀର ପାର୍ଲାମେଣ୍ଟ ହାଉସ୍ ନିକଟରେ ରହିଥିବା ଏସ୍.ବି.ଆଇ ଶାଖାରେ ଗତ ୨୦୧୮ ଡିସେମ୍ୱର ସୁଦ୍ଧା ୧୭୩୦ ଟଙ୍କା ୨୨ ପଇସା ରହିଛି ।

ନିଜ ନାମରେ କୌଣସି ଅପରାଧିକ ମାମଲା ନ ଥିବା ଦର୍ଶାଇଛନ୍ତି ନବୀନ । ଏପରିକି ମୁଖ୍ୟମନ୍ତ୍ରୀ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details