ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡା-ଦେଉଳପେଢୀ କେନାଲ ନିକଟରେ ଅଘଟଣ । ଏହି କେନାଲ ରାସ୍ତାର ବୁଲାଣି ପୋତାଶଙ୍ଖ ନିକଟରେ ଥିବା ବ୍ରିଜ ତଳ କୂଅରେ ଖସିପଡିଲା ଦୁଇଟି ବାଇକ । ଏଥିରେ 3 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2 ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ବ୍ରିଜ ତଳେ ଥିବା କୂଅରେ ଖସିପଡିଲା ମୋଟର ସାଇକେଲ: ୩ ମୃତ, ୨ ଗୁରୁତର
ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ସଦର ଥାନା ରାଇଝୋଳ ଗ୍ରାମର ଜିତୁ ଗୌଡ, ବାବୁଲା ଗୌଡ ଏବଂ ଲାଞ୍ଜିଆ ଗ୍ରାମର ସନ୍ତୋଷ ଗୌଡ । ୨ ଆହତ ହେଲେ ରାଇଝୋଳ ଗ୍ରାମର ମିଟୁ ଗୌଡ ଏବଂ ପଦ୍ମତୋଳା ଗ୍ରାମର ଶିବରାମ ସ୍ବାଇଁ । ସୂଚନା ଅନୁସାରେ, ସମସ୍ତ ପାଞ୍ଚ ଜଣ ମିଶି ନୂଆ ବର୍ଷରେ ସାଙ୍ଗସାଥି ମେଳରେ ଭୋଜି ଖାଇ ସାରି ଫେରୁଥିଲେ । ଅନ୍ଧାର ରାତିରେ ଅସାବଧାନତା କାରଣରୁ ବ୍ରିଜ ତଳେ ଥିବା ୩୦ ଫୁଟ କୂଅ ମଧ୍ୟକୁ ସମସ୍ତେ ଖସି ପଡିଥିଲେ।
ଆଖପାଖରେ ଥିବା ଲୋକେ ଘଟଣା ସମ୍ପର୍କରେ ଜାଣି ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଏଥିରେ ବିଫଳ ହେବା ପରେ ଦିଗପହଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଲେ । ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଉପସ୍ଥିତ ଡାକ୍ତର ୩ ଜଣକୁ ମୃତ ଘୋଷିତ କରିଥିଲେ ।
ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି । ଏହାପରେ ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ