ବ୍ରହ୍ମପୁର: କୋଭିଡ୍ ସମୟରେ ବି ଚାଲିଛି ବ୍ରହ୍ମପୁରର ମଣିଷ ହାଟ । ପରିବାର ପ୍ରତିପୋଷଣ କରିବା ପାଇଁ ସକାଳୁ ଆସି ବଜାରରେ ଧାଡି ବାନ୍ଧୁଛନ୍ତି ଦିନ ମଜୁରିଆ । ଅପେକ୍ଷା କରି ରହୁଛନ୍ତି, କେଉଁ ମାଲିକ କି ଠିକାଦାର ଆସି ତାଙ୍କ ଶ୍ରମର ମୂଲଚାଲ କରିବେ । ଆଉ ନିଜ ଶ୍ରମ ବଦଳରେ ମିଳିଥିବା ପାରିଶ୍ରମିକରୁ ସେମାନେ ଘର ଚଳାଇବେ । ପେଟ ଚାଖଣ୍ଡକ ପାଇଁ ମହାମାରୀକୁ ଖାତିର ନ କରି ନିତିଦିନ ଏଠାକୁ ଧାଇଁ ଆସୁଛନ୍ତି ଦିନ ମଜୁରିଆ । ହେଲେ ଲକଡାଉନ ସଟଡାଉନ ଯୋଗୁଁ ଅନେକ ସମୟରେ କାମ ନ ପାଇ ସେମାନଙ୍କୁ ନିରାଶ ହେବାକୁ ପଡୁଛି ।
ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟର ପରେ ବ୍ରହ୍ମପୁର ସହରର ଗେଟ୍ ବଜାରରେ ଦେଖିବାକୁ ମିଳେ ମଣିଷ ହାଟ । ଗେଟ୍ ବଜାର ଭଳି ଏକ ପ୍ରମୁଖ ଟ୍ରାଫିକ୍ ଛକର ରାସ୍ତା ପାର୍ଶ୍ବକୁ ବିଭିନ୍ନ କାର୍ଯ୍ଯ କରିବା ପାଇଁ ସହର ସମେତ ଉପକଣ୍ଠ ଅଞ୍ଚଳରୁ ଛୁଟି ଆସିଥାନ୍ତି ଅନେକ ଦିନ ମଜୁରିଆ । ମୁଖ୍ୟତଃ ଏହି ମଜୁରିଆଙ୍କ ମଧ୍ୟରୁ କିଏ ମାଟି ବୋହନ୍ତି ତ ଆଉ କିଏ ଘର କାମ କରିବାକୁ ଯାଆନ୍ତି । ଗେଟ ବଜାର ଛକରେ ଧାଡି ଲାଗୁଥିବା ଏହି ମଜୁରିଆମାନେ ଯାହାର ଦରକାର ପଡନ୍ତି ସେମାନେ ଏଠାକୁ ଆସନ୍ତି । ଆଉ ଯେଉଁ ଶ୍ରମିକ ଭଲ ଲାଗେ ତାକୁ ସାଙ୍ଗରେ ଧରି ଚାଲିଯାଆନ୍ତି । ହେଲେ ମହାମାରୀ ରୋକିବାକୁ ସରକାରଙ୍କ ଲକଡାଉନ ସଟଡାଉନ କଟକଣା ଏବେ ଦିନ ମଜୁରିଆଙ୍କ ପାଇଁ ଭାରି ପଡିଛି । କଟକଣା ଯୋଗୁଁ ଆଗଭଳି ସେମାନଙ୍କ ମୂଲଚାଲ ହେଉନି । ସେପଟେ କାମ ନ ପାଇ ଘରେ ଚୁଲି ବି ଜଳୁନି । ହେଲେ ଏ ସବୁ ସତ୍ତ୍ବେ ବି ଏହି ମଣିଷ ହାଟକୁ ଭରସା କରି ନିଇତି ଏଠାକୁ ଆସୁଛନ୍ତି ଶ୍ରମିକ । ଯଦି କାମ ମିଳୁଛି ତ ସେମାନଙ୍କ ଖୁସି କହିଲେ ନ ସରେ, ନ ହେଲେ ଚାହିଁ ଚାହିଁ ହତାଶ ହୋଇ ଘରକୁ ଫେରୁଛନ୍ତି ମଜୁରିଆ ।