ବ୍ରହ୍ମପୁର:ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ହେଲେ ଏଭଳି ସମୟରେ ଆଜି ବି ମନେ ପଡେ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସେହି ବଳୀଦାନର ଗାଥା । ଆଜି ପ୍ରତ୍ୟେକ ସଂଗ୍ରାମୀଙ୍କ ପରିବାର ଲୋକଙ୍କ ମୁହଁରେ ଶୁଣିବାକୁ ମିଳେ ସଂଗ୍ରାମୀଙ୍କ ସଂଘର୍ସର କଥା । ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇବାକ ପାଇଁ ଅନେକ ବୀର ପୁତ୍ର ହସି ହସି ଦେଶ ପାଇଁ ଲଢେଇ କରିଥିଲେ । ସେମାନଙ୍କ ମଧ୍ୟରୁ ଅନ୍ୟତମ ସଂଗ୍ରାମୀ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଗାଁର ଗୋବିନ୍ଦ ଶତପଥିଙ୍କ ସୁପୁତ୍ର ନାରସୁ ଶତପଥି ।
ସ୍ୱାଧିନତା ସଂଗ୍ରାମୀର ଜଣେ ଆଗ ଧାଡିର ବୀର ଥିଲେ ସେ । ଗୋରା ସରକାର ବିରୁଦ୍ଧରେ 1931 ମସିହାରେ ସତ୍ୟାଗ୍ରହ କରିବା ସହ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାନର ସେନା, ଅହିଂସା ଆନ୍ଦୋଳନ ଭଳି ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ତାଙ୍କର ସେହି ବଳିଦାନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ୱାଧିନତା ସଂଗ୍ରାମୀ ଭାବରେ ମାନ୍ୟତା ଦିଆଯାଇଥିଲା । ଏବେ ସେ ନାହାଁନ୍ତି ସତ ହେଲେ ତାଙ୍କ ସେହି ଅମର ଗାଥାକୁ ମନ ପକାଉଛନ୍ତି ତାଙ୍କ 97 ବର୍ଷିୟ ଧର୍ମପତ୍ନୀ ଏବଂ ପରିବାର ବର୍ଗ । କିଭଳି ଇଂରେଜ ସରକାରଙ୍କୁ ଭୟ ନ କରି ତାଙ୍କର ପରାକ୍ରମ ଦେଖାଉଥିଲେ ।
ସଂଗ୍ରାମୀ ନାରସୁ ଶତପଥି ପୁଅ ପ୍ରକାଶ ଚନ୍ଦ୍ର ଶତପଥୀ କୁହନ୍ତି ଯେ, ‘‘ଲବଣ ସତ୍ୟାଗ୍ରହ ସମୟରେ ପୋଲିସକୁ ମାଡ ମାରିବାରୁ ନାରସୁଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କ କାର୍ଯ୍ୟକଳାପ ଦେଖି ମାଡ୍ରାସ ଜେଲକୁ ପଠାଇଥିଲେ ଇଂରେଜ ସରକାର ’’। ସେହିଭଳି ଗଞ୍ଜାମର ଅନ୍ୟ ଜଣେ ବୀର ସ୍ୱାଧିନତା ସଂଗ୍ରାମୀ ହେଲେ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ଗୋପାଳ ଚନ୍ଦ୍ର ଦାସ । ପିତା ସାରଥି ଦାଶ ଓ ମାତା କୌତୁକିଙ୍କ ପୁଅ ଗୋପାଳ । ମାତ୍ର 15 ବର୍ଷ ବୟସରେ ପାଠ ପଢା ଛାଡି 1934 ମସିହାରେ ଜିଲ୍ଲାର ତତ୍କାଳୀନ ମୁସ୍ତାଦାର ପ୍ରଥା ଆନ୍ଦୋଳନରେ ସାମିଲ ହେବା ହୋଇଥିଲେ । 1941 ମସିହାରେ ଗୌତ୍ତମୀ ଠାରେ ବ୍ୟକ୍ତିଗତ ସତ୍ୟାଗ୍ରହ କରି 4 ମାସ ଧରି ସଶ୍ରମ କାରାଦଣ୍ଡ ଏବଂ ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ପରେ 1942 ମସିହାରେ ଭାରତଛାଡ ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ଭାବରେ ଛାତ୍ର ମାନଙ୍କୁ ସଂଙ୍ଗଠିତ କରି ଗିରଫ ହୋଇଥିଲେ ।