ବ୍ରହ୍ମପୁର: ରାଜ୍ୟରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି ବ୍ରହ୍ମପୁର ସହରର ଟାୟର ଆର୍ଟ ପାର୍କ । ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଆକୃଷ୍ଟ କଲା ଭଳି ଏଠାରେ ରହିଛି ଅନେକ ପ୍ରତିକୃତି । ପାର୍କରେ ଘାସ ଗାଲିଚା ଠାରୁ ଆରମ୍ଭ କରି ହାତୀ, ଘୋଡା, ଡାଇନୋସର୍, ବିରାଟକାୟ କିଙ୍ଗ୍ କୋର୍ବା ଭଳି ଅନେକ ପ୍ରକାର ପ୍ରତିକୃତି ନିର୍ମାଣ ହୋଇଛି ଅବ୍ୟବହୃତ ଟାୟାର ଗୁଡିକରେ । ବ୍ରହ୍ମପୁର ସହରର ସରକାରୀ ଆଇ.ଟି.ଆଇ ପରିସରରେ ନିର୍ମାଣ ହେଉଥିବା ଏହି ପାର୍କ ଖୁବ୍ ଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଉଦଘାଟିତ ହେବାକୁ ଯାଉଛି ।
ପାର୍କରେ ଟାୟାରରେ ତିଆରି ଟ୍ରାକ୍ଟର, କାର, ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛ, ବାଘ ଠାରୁ ଆରମ୍ଭ କରି ହାତୀ, ଘୋଡା, ଡାଇନୋସର୍ , ବିରାଟକାୟ କିଙ୍ଗ୍ କଙ୍ଗ ଭଳି ଅନେକ ପ୍ରତିକୃତି ରହିଛି । ଆଉ ଏହି ସମସ୍ତ ମଡେଲ ସିମେଣ୍ଟ କି ପ୍ଲାଷ୍ଟିକ୍ ନୁହେଁ ବରଂ ବର୍ଷ ବର୍ଷ ଧରି ବିଭିନ୍ନ ସ୍ଥାନରେ ପଡି ରହୁଥିବା ଅବ୍ୟବହୃତ ଟାୟାରରେ ତିଆରି ହୋଇଛି । ଆଉ ଏଗୁଡିକୁ ତିଆରି କରିଛନ୍ତି ବ୍ରହ୍ମପୁର ସହରରେ ରହିଥିବା ସରକାରୀ ଆଇ.ଟି.ଆଇ ରେ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀମାନେ । ସେମାନଙ୍କ ପ୍ରଶିକ୍ଷକଙ୍କ ସହାୟତାରେ ଗତ କିଛି ଦିନ ମଧ୍ୟରେ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ଟାୟର ଆର୍ଟ ପାର୍କ । ଅନୁଷ୍ଠାନର ବିଭିନ୍ନ ଟ୍ରେଡରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରିଥିବାବେଳେ ବର୍ତ୍ତମାନ ରଙ୍ଗ ଦେଇ ଏହାକୁ ପାର୍କରେ ରଖାଯାଉଥିବା ଦେଖାଯାଇଛି ।