ବ୍ରହ୍ମପୁର: କୋଭିଡ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବିପଦ ଆଡକୁ ନଯାଇ ସୁରକ୍ଷିତ ରହିପାରିବ । ସଂକ୍ରମିତ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ସବୁବେଳେ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ହେଲେ ତୁରନ୍ତ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସଂକ୍ରମଣ ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଚାଲିଛି ।
ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହିତ ଔଷଧ କିଟ୍ ପ୍ରଦାନ କରାଯାଉଛି । ଏହି ସବୁ ପ୍ରୟାସ ସତ୍ତ୍ବେ ଜିଲ୍ଲାବାସୀ ନିଜେ ସତର୍କ ରହିଲେ ହଁ ନିଜ ଜୀବନକୁ ବିପଦ ମୁଖରୁ ରକ୍ଷା କରିପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍ ଭିଡିଓ ବୈଠକରେ ଅବଗତ କରାଇଛନ୍ତି । ମାସ୍କ ବ୍ୟବହାର ଓ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୀତି ନିୟମକୁ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ହୋଟେଲ୍ ମାନଙ୍କରେ ବସି ଖାଦ୍ୟ ଗ୍ରହଣ କରିବା ବଦଳରେ ଖାଦ୍ୟ ପ୍ୟାକେଟ୍ କରି ନେବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ କିମ୍ବା ଚାକିରିରେ ଯୋଗଦାନ କଲେ କୋଭିଡ ପରୀକ୍ଷା ରିପୋର୍ଟ ନିମନ୍ତେ ଆଶାୟୀ ବ୍ୟକ୍ତିଙ୍କ ଏକ ଟେଷ୍ଟିଂସେଲ୍ ଗଠନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।