ବ୍ରହ୍ମପୁର: ଫନି ପାଇଁ ଆଲର୍ଟ ଗଞ୍ଜାମ ଜିଲ୍ଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏଥିପାଇଁ ଅଧିକ ସତର୍କ ରହିବାକୁ ଆଲର୍ଟ ଜାରି କରିଛି ପ୍ରଶାସନ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବା ସହ ଏହା ସିଭିୟର ସାଇକ୍ଳୋନିକ ଷ୍ଟ୍ରମରେ ପରିଣତ ହେବାକୁ ଯାଉଛି । ଏପଟେ ଗୁରୁବାରରୁ ସମୁଦ୍ରକୂଳିଆ ଗାଁଠୁ ଆରମ୍ଭ କରି ପାହିଡିଆ ଅଞ୍ଚଳ ଏବଂ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି ।
ଜିଲ୍ଲାରେ ମୋଟ ୫୧୭ ଜଣ ଗର୍ଭବତୀ ମହିଳା ଥିବାରୁ ସେମାନଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସରକାରୀ ମେଡିକାଲକୁ ଅଣାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ୫୩ ଜଣ ଗର୍ଭବତୀ ମହିଳାଙ୍କୁ ଅଣାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପାଣିପାଗର ଗତିବିଧି ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବା ସହ ୫୮୦ ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ ୭୭ ଟି ଉଚ୍ଚା ସ୍ଥାନ ରହିଥିବା ପକ୍କା ଘର ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲାର ମୋଟ ଏକ ଲକ୍ଷ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଅନ୍ୟପଟେ ଏହାର ପ୍ରଭାବରେ ବର୍ଷାର ମାତ୍ରା ଅଧିରୁ ଅଧିକ ହେବାକୁ ଥିବାରୁ ପାହାଡିଆ ଅଞ୍ଚଳ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପ୍ରତି ବ୍ୟାପକ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।
ବିପର୍ଯ୍ୟୟ ପୂର୍ବରୁ ପାନୀୟ ଜଳକୁ ସଂରକ୍ଷିତ ଭାବରେ ରଖିବା ଲାଗି ୧୨୭୪ ଟି ଓଭର ହେଡ ଟ୍ୟାଙ୍କରେ ପାଣି ସଂରକ୍ଷିତ କରି ରଖାଯାଇଛି । ଏଥି ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୪୪ ଟି ମୋବାଇଲ ହେଲଥ୍ ୟୁନିଟ୍ ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ବ୍ଲକ ସ୍ତରରେ 5ଟି ଲେଖାଏଁ ଟିମ୍ କରାଯାଇଛି । ଜିଲ୍ଲାରେ ମୋଟ ୫ ଟି ଓଡ୍ରାଫ୍ଟ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ସମୁଦ୍ର କୂଳ ଠାରୁ 1କିମି ମଧ୍ୟରେ ଏବଂ କୌଣସି କଚ୍ଚା ଘରେ କେହି ରହିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି କୁହାଯାଇଛି । ଏପରିକି 3ହଜାର ବ୍ୟାଟେରି ଲାଇଟ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲାରେ ଯେପରି କୌଣସି କଳାବଜାରୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ରହ୍ମପୁର ମହାନଗର ନିଗମରେ ଆୟୋଜିତ ଏକ ବୈଠକରେ ସମସ୍ତ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ