ବ୍ରହ୍ମପୁର: ଧରା ପଡିଲେ ମାଙ୍କଡ ଚାଲାଣ ତସ୍କରୀ । ଆନ୍ଧ୍ରରୁ ମାଙ୍କଡ ଧରି ଗଞ୍ଜାମକୁ ଚାଲାଣ ବେଳେ ମାଡି ବସିଲା ବନ ବିଭାଗ । 8ଟି ବସ୍ତାରେ ମାଙ୍କଡଙ୍କୁ ଭର୍ତ୍ତି କରି ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଛାଡିବା ବେଳେ ଶ୍ବାସରୁଦ୍ଧ ହୋଇ ୧୦ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୋଟ 15ଟି ମାଙ୍କଡ ଚାଲାଣ ହେଉଥିଲା । ସେଥିରୁ ସୁସ୍ଥ 5ଟି ମାଙ୍କଡଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ବନ ବିଭାଗ ।
ସୂଚନା ଅନୁଯାୟୀ, ଆନ୍ଧ୍ର ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଏକ ଡାଲା ଅଟୋ ରିକ୍ସାରେ ମାଙ୍କଡ଼ ଧରି ଆସୁଥିଲେ ଓଡିଶା । ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିଲେ ୧୫ଟି ମାଙ୍କଡ଼ । ଏଣୁ ଲୋକେ ଅତିଷ୍ଠ ହୋଇ ତସ୍କରୀଙ୍କୁ ଟଙ୍କା ଦେଇଥିଲେ । ତସ୍କରୀ ଟଙ୍କା ନେଇ ମାଙ୍କଡ଼ଙ୍କୁ ଧରି ଆଣୁଥିଲେ ଓଡିଶା । 8ଟି ବେଗରେ ମାଙ୍କଡଙ୍କୁ ଭର୍ତ୍ତି କରି ଗଞ୍ଜାମ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଛାଡିବା ପାଇଁ ଆଣୁଥିଲେ । ବ୍ୟାଗରେ ମାଙ୍କଡ଼ ଭର୍ତ୍ତି କରି ଗଞ୍ଜାମର ତୁମ୍ବା ପଟକୁ ଆସୁଥିଲେ ଆନ୍ଧ୍ରର ଦୁଇ ଯୁବକ । ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ଠାରୁ ଖବର ପାଇ ବନ ବିଭାଗ ଜରଡା ନିକଟରେ ଡାଲା ଅଟୋକୁ ଅଟକାଇ ଯାଂଚ କରିଥିଲା । ଯାଂଚ ବେଳେ ୮ଟି ବେଗରେ ମାଙ୍କଡ଼ ଥିବା ଜଣା ପଡ଼ିଥିଲା । ବେଗ ଖୋଲିବା ପରେ ୧୦ଟି ମାଙ୍କଡ଼ର ମୃତଦେହ ମିଳିଥିଲା । ଶ୍ବାସରୁଦ୍ଧ ହୋଇ ମାଙ୍କଡ଼ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୫ଟି ଜୀବନ୍ତ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ । ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।