ବ୍ରହ୍ମପୁର: ସାରର ଅତ୍ୟଧିକ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଡିଶା କୃଷକ ସଭାର ବିକ୍ଷୋଭ । ସୋମବାର ବ୍ରହ୍ମପୁରର ଆଙ୍କୁଲି ଠାରେ ସଙ୍ଗଠନର ସଦସ୍ୟ ବିକ୍ଷୋଭ କରିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଗତବର୍ଷ ତୁଳନାରେ ଚଳିତବର୍ଷ ବିଭିନ୍ନ ସାର ୫୦ କିଲୋଗ୍ରାମ ପ୍ରତି ପାଞ୍ଚ ଶହରୁ ସାତ ଶହ ଟଙ୍କା ବୃଦ୍ଧି କରାଯାଇଛି । ଇଫକୋ ସାରର ଖୁଚୁରା ମୁଲ୍ୟର ବୃଦ୍ଧି ସମ୍ପର୍କରେ ସୂଚନା ଜାରି କରିଛି । ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, କୃଷକଙ୍କ କଲ୍ୟାଣ ପାଇଁ କୃଷିର ଉତ୍ପାଦନ ଖର୍ଚ୍ଚ କମାଯିବ । ଏଥିଲାଗି ସାର ଦାମ ବିଶେଷ କରି ବୃଦ୍ଧି କରାଯିବ ନାହିଁ । ମାତ୍ର ଏହି ସମୟ ଭିତରେ ସାର କ୍ଷେତ୍ରରେ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କମ୍ପାନୀ ମାନଙ୍କ ଉପରେ ଥିବା ସରକାରୀ କଟକଣା ନିୟମାବଳୀକୁ ହଟାଇ ଦିଆଯାଇଛି ।