ବ୍ରହ୍ମପୁର:କୋରୋନାସଂକ୍ରମଣ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ । ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର କରାଯିବ ସ୍ବାସ୍ଥ୍ୟ ପରୀକ୍ଷା । ଏଥିପାଇଁ ପ୍ରତ୍ୟେକ ଗାଁରେ ଓ ସହରାଞ୍ଚଳର ସମସ୍ତ ସାହିରେ ନିର୍ଦ୍ଦିଷ୍ଟ ଟିମ୍ ଘର ଘର ବୁଲି ଖବର ସଂଗ୍ରହ କରିବେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷକ ଓ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜରଙ୍କୁ ନେଇ ଏହି ଟିମ୍ ଗଠନ କରାଯିବ । ନିର୍ଦ୍ଦିଷ୍ଟ ଫର୍ମରେ ସେହି ପରିବାରର ସଦସ୍ୟଙ୍କ ନାମ, ଫୋନ୍ ନମ୍ବର ଏବଂ ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ । ପରିବାର ସଦସ୍ୟଙ୍କ ବିଭିନ୍ନ ସ୍ଥାନକୁ ଗନ୍ତବ୍ୟ ତଥ୍ୟ ସଂଗ୍ରହ କରାଯିବ । ଡାକ୍ତରୀ ଦଳ ଏହି ପୀଡିତ ମାନଙ୍କୁ ଅଧିକ ତର ପରୀକ୍ଷା କରିବେ । ତିନି ଦିନ ମଧ୍ୟରେ ଏହି ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ବୈଠକରେ କହିଛନ୍ତି ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ଆୟୋଜିତ ବୈଠକରେ ଲକ୍ ଡାଉନ୍ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ନିର୍ଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ପାଇଁ କୁହାଯାଇଛି । ଅଧିକାରୀ ମାନେ ଗସ୍ତ ସମୟରେ କିଛି ଖାଦ୍ୟ ପଦାର୍ଥ ଗାଡିରେ ମହଜୁଦ୍ ରଖିବେ ।