ବ୍ରହ୍ମପୁର:ଗାଡି ବିକ୍ରି ଉଦ୍ୟମ କରି ଧରା ପଡିଲା ଚାଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଘାଟିରେ । ଏହି ଘାଟିରେ ଦିନକୁ ଦିନ ଠକ ଚାଳକ , ଲୁଟେରା ଓ ଡକାୟତମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଉଥିବା ବେଳେ ପୋଲିସ ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହେଉଥିବା ଜଣାପଡିଛି । ସେହିଭଳି ଦୁର୍ଘଟଣା ରୂପ ଦେଇ ମାଲିକର ଗାଡି ବିକ୍ରି କରିବାକୁ ଉଦ୍ୟମ କରୁଥିବା ଘଟଣା ସାମନାକୁ ଆସିଛି । ତେବେ ଗାଡି ଚାଳକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ମାଣିଦେଇପୁର ଗ୍ରାମର କାହ୍ନୁ କୁମାର ଚୌଧୁରୀ ।
ତେବେ ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଦିନ ଭୋର ୪ଟା ବେଳେ ଟାଟା ପିକ ଅପ ଭ୍ୟାନ୍ ଯୋଗେ ଡେଙ୍ଗାଓସ୍ତ ଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲେ ଗାଡିଚାଳକ । ସେହି ସମୟରେ ଖଲ୍ଲିକୋଟ ବଡଘାଟି ଠାରେ ଉକ୍ତ ଗାଡିକୁ ଅଟକାଇ ଡକାୟତମାନେ ଚାଳକଙ୍କ ଗାଡି ଚାବି ନେଇ ମାଡ ମାରି ମୋବାଇଲ ଛଡାଇ ନେଇଥିଲେ । ଏଥିସହ ଚାଳକଙ୍କ ଲାଇସେନ୍ସ ମଧ୍ୟ ଛଡାଇ ନେଇ ବ୍ରହ୍ମପୁର ପଟକୁ ପଳାଇ ଯାଇଥିବା ଘଟଣା ଦୁଇ ଦିନ ପରେ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଥିଲା । ଏଥିସହ ଭୁବନେଶ୍ବର ଯାଇ ଗାଡି ମାଲିକଙ୍କୁ ଘଟଣା ସମ୍ପର୍କରେ ଚାଳକ ଜଣଙ୍କ ଅବଗତ କରାଇଥିଲେ ।