ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ସୋନପୁର ବେଳାଭୂମିରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ ସେଣ୍ଟର । ଏଠାରେ ମିଳୁଛି ମୁମ୍ବାଇ ଓ ଗୋଆର ମଜା । ବଙ୍ଗୋପସାଗରର ନୀଳ ଜଳରାଶିରେ ଜଳକ୍ରୀଡା କରୁଛନ୍ତି ପର୍ଯ୍ୟଟକ । ସ୍ପିଡ୍ ବୋଟଠୁ ଆରମ୍ଭ କରି ବନାନା ବୋଟ ଯାଏଁ ଭଳିକି ଭଳି ବୋଟରେ ବୋଟିଂର ମଜା ନେଉଛନ୍ତି ଲୋକେ । କେବଳ ଏତିକି ନୁହେଁ ବେଳାଭୂମି କଡରେ ରାତିଯାପନ ପାଇଁ ରହିଛି ସ୍ବତନ୍ତ୍ର କଟେଜର ସୁବିଧା । ପର୍ଯ୍ୟଟକମାନେ ଏହି କଟେଜରେ ରହି ସୁନ୍ଦର ବେଳାଭୂମିର ପରିବେଶର ଅନୁଭୂତି ସାଉଁଟିବେ ।
ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତ ବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । କୋଣାର୍କ, ସାତକୋଶିଆ, ଭିତରକନିକା, କୋରାପୁଟ, ହୀରାକୁଦ ଏବଂ ଦାରିଙ୍ଗିବାଡି ସମେତ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଏହା ଆୟୋଜିତ ହୋଇଛି । ସୋନପୁର ବେଳାଭୂମିର ଏହି ଇକୋ-ରିଟ୍ରିଟ ସେଣ୍ଟରରେ ମନୋରଞ୍ଜନର ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଠାରେ ଜଳକ୍ରୀଡା ପାଇଁ ସ୍ପିଡ୍ ବୋଟ ଭଳି ଅନେକ ବୋଟ ରହିଛି । ଏପରିକି ବେଳାଭୂମି କଡରେ ପର୍ଯ୍ୟଟକ ରାତ୍ରିଯାପନ ପାଇଁ ୨୫ଟି ସ୍ବତନ୍ତ୍ର କଟେଜ ତିଆରି ହୋଇଛି । ସକାଳ ଜଳଖିଆ ଠାରୁ ରାତ୍ରିଭୋଜନର ମଧ୍ୟ ବ୍ୟବସ୍ଥା ହୋଇଛି ସମୂଦ୍ର କୂଳରେ । ଏଥିସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଦାୟିତ୍ବରେ ଥିବା କର୍ମଚାରୀ । ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଅଧିନରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଏହି ଇକୋ-ରିଟ୍ରିଟ ସେଣ୍ଟର ପରିଚଳନା କରୁଛି ।