ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନବୀକରଣ କରାଯାଇ ନୂତନ ରୂପ ଦିଆଯାଉଛି । ଏହି କ୍ରମରେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ରହିଥିବା ପ୍ରସିଦ୍ଧ ମାଆ ବୁଢୀଠାକୁରାଣୀ ମନ୍ଦିରକୁ ସାମିଲ କରାଯାଇଛି । ଏହାକୁ ଏକ ସୁନ୍ଦର ଭବ୍ୟ ମନ୍ଦିରରେ ପରିଣତ କରିବା ଲାଗି ଆରମ୍ଭ ହୋଇଛି ଯୋଜନା । ଗତ କିଛି ଦିନ ମଧ୍ୟରେ ଗଞ୍ଜାମର ଆରାଧ୍ୟଦେବୀ ପ୍ରସିଦ୍ଧ ମା’ ତାରା ତାରିଣୀ ମନ୍ଦିରର ପୁନରୁଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ଏହି ଅଭିଯାନରେ ସାମିଲ ହେବାକୁ ଯାଉଛି ମାଆ ବୁଢୀ ଠାକୁରାଣୀ ମନ୍ଦିର ।
ବଦଳିବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିରର ରୂପରେଖ, ନିର୍ମାଣ ହେବ ଭବ୍ୟ ମନ୍ଦିର ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାର ପରମ୍ପରା ଓ ଇତିହାସ ଯେତେ ପୁରାତନ ମାଆଙ୍କ ପୀଠ ମଧ୍ୟ ଅତ୍ୟନ୍ତ ପୁରାତନ । ଆଉ ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିରର ରୂପାନ୍ତରିତ କରାଯାଇ ସଂପୂର୍ଣ୍ଣ ନୂଆ ଲୁକ୍ ଦିଆଯାଉଛି । ଏହି କ୍ରମରେ ବୁଢୀ ଠାକୁରାଣୀ ମନ୍ଦିର ସାମିଲ ହେବା ପରେ ଉନ୍ନତିକରଣ କାର୍ଯ୍ୟ ନେଇ ବସିଛି ମିଳିତ ବୈଠକ । ମାଆଙ୍କ ପୁରାତନ ମନ୍ଦିରର ରୂପରେଖ କିପରି ହେବ ଏବଂ ମନ୍ଦିରର ପାର୍ଶ୍ୱରେ ରହିଥିବା ସ୍ଥାନକୁ ମିଶାଯାଇ କିପରି ଭବ୍ୟ ମନ୍ଦିର କରାଯିବ ସେ ନେଇ ଜିଲ୍ଲାପ୍ରଶାସନ, ନିର୍ବାଚିତ ପ୍ରତିନିଧି ଏବଂ ମନ୍ଦିର କର୍ମକର୍ତ୍ତାମାନେ ମିଳିତ ବୈଠକ କରି ଆଲୋଚନା କରିଛନ୍ତି ।
ବୁଢୀ ଠାକୁରାଣୀ ମନ୍ଦିରକୁ ଭବ୍ୟ ମନ୍ଦିରରେ ପରିଣତ କରିବା ପାଇଁ ମନ୍ଦିରର ସେବାୟତଙ୍କ ସହଯୋଗ ଲୋଡାଯାଇଛି । ଏହାସହ ମନ୍ଦିରର ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇ ଅନ୍ୟତ୍ର ଥାଇଥାନ କରାଯିବ । ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଏବଂ ପୀଠର ଉନ୍ନତିକରଣ ପାଇଁ କିପରି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା କରାଯାଇଛି । ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ମନ୍ଦିରରେ ଓଡିଶାର ସଂସ୍କୃତି ଓ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିବ । ଖୁବଶ୍ରୀଘ୍ର ଏନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ଡି.ପି.ଆର୍ ପ୍ରସ୍ତୁତ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ । ସେପଟେ ମାଆଙ୍କ ମନ୍ଦିରର ବିକାଶମୂଳକ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ମନ୍ଦିରର ସେବାୟତ ।
ରାଜ୍ୟର ବିଦ୍ୟାଳୟ ଓ ଦେବାଳୟ ଗୁଡିକର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଇତି ମଧ୍ୟରେ ରାଜ୍ୟର ବହୁ ପ୍ରମୁଖ ମନ୍ଦିର ଗୁଡିକର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ପୂର୍ବରୁ ୨୦୧୮ ମସିହାରେ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନତିକରରଣ ପାଇଁ ଆସିଥିବା ୨ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ ହୋଇନପାରି ଫେରିଯାଇଥିଲା । ମାଆଙ୍କ ମନ୍ଦିରର ଉନ୍ନତିକରଣ ପାଇଁ କେଉଁ କେଉଁ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରିବା ସହ ରାଜ୍ୟର ଏକ ପ୍ରମୁଖ ମନ୍ଦିର ଭାବରେ ମାଆ ବୁଢୀ ଠାକୁାରାଣୀ ମନ୍ଦିର ସ୍ଥାପନ କରାଯିବ ସେ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ