ବ୍ରହ୍ମପୁର: ପିଲାଟି ଦିନରୁ ଚିତ୍ରକଳା ପ୍ରତି ରହିଥିଲା ଅନେକ ଆଗ୍ରହ । ହେଲେ ପାଠପଢାର ବ୍ୟସ୍ତତା ମଧ୍ୟରେ କଳାକୁ ସମୟ ଦେଇପାରୁ ନ ଥିଲେ । ଏଭଳି ସମୟରେ କୋଭିଡ ମହାମାରୀ ସୃଷ୍ଟି କଲା ସୁଯୋଗ । ଲକଡାଉନ ସମୟରେ ଘରେ ରହି ଭିନ୍ନ ଏକ ଶୈଳୀରେ ଚିତ୍ର କରି ନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ପାରିଛନ୍ତି ବ୍ରହ୍ମପୁରର ମନୀଷା ପଣ୍ଡା ।
ବ୍ରହ୍ମପୁର ସହର ଆମ୍ବପୁଆ ମାରୁତିନଗର ଅଞ୍ଚଳର ନୀଳମାଧବ ପଣ୍ଡା ଏବଂ ନକ୍ଷତ୍ରମାଳା ପଣ୍ଡାଙ୍କ ଝିଅ ମନୀଷା ପଣ୍ଡା । ସେ ମହାମାୟୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢନ୍ତି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ବେଶ୍ ଆଗ୍ରହ ଥିଲା । ହେଲେ ପଢା ବ୍ୟସ୍ତତା ମଧ୍ୟରେ ସେଥିରେ ମନ ନିବେଶ କରିପାରୁନଥିଲେ । ମହାମାରୀ ସମୟର ଲକଡାଉନ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କଲା । ଘରେ ରହି ମନୀଷା କେବଳ ଚିତ୍ର ନୁହେଁ ଭିନ୍ନ ଏକ ଢଙ୍ଗରେ ଚିତ୍ର କରିବାକୁ ମନସ୍ଥ କଲେ । ଆଉ ଏହାପରେ ଅବ୍ୟହୃତ କାଗଜ, ପେପର ସ୍କଟ, ସିଡି ଇତ୍ୟାଦି ବର୍ଜ୍ୟବସ୍ତୁକୁ ନେଇ ଚିତ୍ର ତିଆରି କରିବାକୁ ଆରମ୍ଭ କଲେ । ରଥଯାତ୍ରା ସମୟରେ ଟିଭି ଦେଖି ସୁନ୍ଦର ଜଗନ୍ନାଥ ପ୍ରତିମୂର୍ତ୍ତି ଆଙ୍କିଥିଲେ । ଏହାପରେ ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରୀ ନାମକ ଏକ ସଂସ୍ଥା ତାଙ୍କୁ ଦେଲା ଆଉ ଏକ ସୁଯୋଗ ।