ବ୍ରହ୍ମପୁର:ଗଞ୍ଜାମ ଖଲ୍ଲିକୋଟର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା । ଏନେଇ ପୋଲିସ ସାତ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଧାୟକାଙ୍କ ଖଲ୍ଲିକୋଟ ସ୍ଥିତ ନିର୍ମଳଝର ନିକଟବର୍ତ୍ତୀ ବାସଭବନ ଉପରେ ଆକ୍ରମଣ ହୋଇଥିବା ନେଇ କେଶପୁରର ୭ ଜଣଙ୍କୁ ବାନ୍ଧିଥିଲା ପୋଲିସ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଓ ଖଲ୍ଲିକୋଟ ଥାନାଧିକାରୀ ।
ମୁଖ୍ୟତଃ ପୂର୍ବ ଶତ୍ରୁତା ,ରାଜନୈତିକ ଶତ୍ରୁତା ଓ ଏକ ଜମିକୁ ନେଇ ଦୀର୍ଘ ଦିନ ଧରି କେଶପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବହୁବାର ଘଟଣାର ଆଶୁ ସମାଧାନ ପାଇଁ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନଥିଲା । ଯାହାକୁ ନେଇ ଘଟଣା ବଢିବା ସହ ଗତ ୫ ତାରିଖ ଦିନ କେଶପୁର ଗ୍ରାମରେ ୫ ଗୋଟି ବୋମା ଫୁଟିବା ସହ ବିଧାୟିକା ଘରେ ନଥିବା ବେଳେ ତାଙ୍କ ଖଲ୍ଲିକୋଟ ସ୍ଥିତ ବାସଭବନରେ ଟେକାପଥର ମାଡ କରାଯାଇଥିଲା । ଏହାସହ ମୋଟର ସାଇକେଲକୁ ଭଙ୍ଗାରୁଜା ମଧ୍ୟ କରାଯାଇଥିଲା । ପରେ ୧୦ ଜଣ ଦୁର୍ବୃତ୍ତ ତିନୋଟି ମୋଟର ସାଇକେଲରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।