ବ୍ରହ୍ମପୁର:ବିଦେଶରେ ଲୋଭନୀୟ ଚାକିରି କରାଇବା ଆଳରେ ଠକେଇ। ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ,ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପଟଣାସାହିରେ ଏକ ଭଡା ଘର ନେଇ ଏରାଉଣ୍ଡ ଦି ୱାର୍ଲ ଟ୍ରାଭେଲ ଏଜେନ୍ସି ନାମରେ ଏକ ଠକ ସଂସ୍ଥା ଖୋଲିଥିଲା । ପରେ ବିଦେଶରେ ଲୋଭନୀୟ ଦରମାରେ ଚାକିରି କରାଇବା ଆଳରେ ବହୁ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା । ଶେଷରେ ଠକ ଗ୍ୟାଙ୍ଗଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ହିଞ୍ଜିଳିକାଟୁ ଥାନା ପୋଲିସ ।
ହିଞ୍ଜିଳିକାଟୁ କାର୍ଯ୍ୟାଳୟକୁ ଛାଡି ଏହି ଗ୍ୟାଙ୍ଗ ନିଜ ନିଜର ପରିଚୟକୁ ଗୋପନ ରଖି ବିଭିନ୍ନ ନାଁରେ ଏମାନେ ବାଣପୁର , ନୟାଗଡ ଏବଂ ଗଞ୍ଜାମ ଅଞ୍ଚଳରେ ଲିପଲେଟ୍ ମାରିଥିବା ପୋଲିସ ତଦନ୍ତ ସମୟରେ ଜାଣିପାରିଥିଲା । ଗତ ୨୭ ତାରିଖରେ ଭଦ୍ରକ ଅଞ୍ଚଳର ଦୌତାରୀ ସେନାପତି ନାମକ ଜଣେ ଯୁବକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।