ବାଲେଶ୍ବର: ବାଜିସାରିଲାଣି ବାଲେଶ୍ବର ସଦର ଉପନିର୍ବାଚନ ବିଗୁଲ । ମଇଦାନକୁ ଓହ୍ଲାଇବା ସହ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିଦେଇଛନ୍ତି ସମସ୍ତ ଦଳ । ସଦର ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କାନି ପତାଇ ଭୋଟ ମାଗିଲେଣି କିଏ ପୁଣି ମହିଳା ପ୍ରାର୍ଥୀଙ୍କୁ ନେଇ କାର୍ଡ ଖେଳିବା ଆରମ୍ଭ କଲେଣି । ୨୦୧୯ ସାଧାରଣ ନିର୍ବାଚନର ମାତ୍ର ଏକ ବର୍ଷ ପରେ ପୁନର୍ବାର ନିଜର ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଭୋଟର । ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ପୁଣିଥରେ ସମସ୍ତ ଦଳକୁ ଉପନିର୍ବାଚନ ଲଢିବା ପାଇଁ ଆଉ ଏକ ସୁଯୋଗ ମିଳିଛି । ଏହାରି ଭିତରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପିର ବିଧାୟକ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।
ଗତ ନିର୍ବାଚନ ଗୁଡିକରେ ଏକଦା ବିଜେଡ଼ିର ଗଡ଼ ଥିବା ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ୩ ଥରର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମାତ ଦେଇ ବିଜୟ ଲାଭ କରିବାରେ ସଫଳ ହୋଇଥିଲା ବିଜେପି । ବିଜେପିର ଟାଣୁଆ ନେତା ମଦନ ମୋହନ ଦତ୍ତ ୧୩ ହଜାରରୁ ଅଧିକ ଭୋଟରେ ଜୀବନ ପ୍ରଦୀପ ଦାଶଙ୍କୁ ପରାସ୍ତ କରି ସଦର ମହକୁମା ଦଖଲ କରିବା ସହ ବିଜେଡି ଆଗରେ ଜାହିର କରିଥିଲେ ନିଜର ପତିଆରା । ଉପନିର୍ବାଚନରେ ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ।
ମାନସ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପରେ ନିଜର ପ୍ରଚାର ଆରମ୍ଭ କରିସାରିଛନ୍ତି । ତାଙ୍କ ସହ ବିଜେପିର ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଟାଣୁଆ ନେତା ସାମିଲ ହୋଇ ଭୋଟ ହାତେଇବାକୁ କରୁଛନ୍ତି ଭରପୁର ପ୍ରୟାସ । ବାପାଙ୍କ ସ୍ବପ୍ନ ପୂରଣ କରିବା ଓ ଅଧୁରା କାର୍ଯ୍ୟକୁ ଆଗକୁ ନେବା ପାଇଁ ନାରା ଦେଉଛନ୍ତି ମାନସ । ଏହାରି ମଧ୍ୟରେ ଜନସାଧାରଣଙ୍କ ସହାନୁଭୂତି ଜିଣିବାକୁ ଚେଷ୍ଟା ଜାରି ରଖିଛନ୍ତି ସେ । ସେପଟେ କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ଖେଳିବାରେ ଲାଗିଛି ମହିଳା କାର୍ଡ ।