ବାଲେଶ୍ବର: ଜଣେ ନାରୀ ଯେବେ ମା' ହେବାର ସ୍ବପ୍ନ ଦେଖେ ତଥା ମାତୃତ୍ବ ଲାଭ କରିବାର ଅନୁଭବ କରିଥାଏ, ସେତେବେଳେ ନାରୀର ବାପ ଘରୁ ଆସିଥାଏ ସଦ ବା ମିଠା। ହେଲେ ଯେବେ ଏହି ମୁହୂର୍ତ୍ତରେ ନାରୀଟିକୁ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିଥାଏ, ତେବେ ତା ମନ ଭିତରେ ମଳିନ ପଡିଯାଏ ଅନେକ ଅସୁମାରୀ ସ୍ବପ୍ନ । ଏମିତି ଜଣେ ନାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ବାପାର କର୍ତ୍ତବ୍ୟ କରିଛନ୍ତି ସରପଞ୍ଚ।
ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନହରା ପଞ୍ଚାୟତରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରେ ସରପଞ୍ଚ କରିଛନ୍ତି ବାପର କର୍ତ୍ତବ୍ୟ। ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କୁ ସଦ ବା ମିଠା ଖୁଆଇ ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ। ଗୋଆରୁ ଫେରିଥିବା 38 ଜଣ ପ୍ରବାସୀଙ୍କ ମଧ୍ୟରେ 2ଜଣ ମହିଳା ଗର୍ଭବତୀ ଥିଲେ । ଲକଡାଉନ ନିୟମ ଅନୁସାରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହାରି ଭିତରେ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ପାଇ ନଥିଲେ। ମାତ୍ର ସରପଞ୍ଚ ଗୋପାଳ ମୁଖୀ ମହିଳାମାନଙ୍କ ଜନନୀ ପ୍ରେମ ବୁଝି ସେମାନଙ୍କୁ ସାକ୍ଷାତ କରି ଯୋଗାଇ ଦେଇଥିଲେ ସ୍ବାଦିଷ୍ଟ ଖାଦ୍ୟ ।