ବାଲେଶ୍ବର: ମେଡିକାଲରେ ବେଡ଼ରେ ଜଣେ ଗୁରୁତର ରୋଗୀଙ୍କ ପାଖରେ ପହଞ୍ଚିଲା ବ୍ୟାଙ୍କ ସେବା । ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବାବେଳେ ବ୍ୟାଙ୍କ କର୍ମଚାରୀ ସେଠାରେ ପହଞ୍ଚି ସେବା ଯୋଗାଇଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।
ବୃଦ୍ଧାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଥିଲା ଟଙ୍କା, ମେଡିକାଲ ବେଡ ପାଖରେ ପହଞ୍ଚିଲେ ବ୍ୟାଙ୍କ କର୍ମଚାରୀ - balasore district news
ବାଲେଶ୍ବରରେ ରୋଗୀ ନିକଟରେ ପହଞ୍ଚି ସେବା ଯୋଗାଇଲେ ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ବନ୍ଦ ଥିବା ସମୟରେ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିଲା ଟଙ୍କା । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ରେମୁଣା ବ୍ଲକ ଗୋବିନ୍ଦପୁର ଗାଁର ବୃଦ୍ଧା ନିଶାମଣି ଭୋଇ ପକ୍ଷାଘାତ ରୋଗରେ ଚିକିତ୍ସା ହେଉଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ନିଶାମଣିଙ୍କ ପରିବାର ନିକଟରେ ହଠାତ୍ ଟଙ୍କା ନଥିବା ଏବଂ ବ୍ୟାଙ୍କ 3ଦିନ ବନ୍ଦ ରହିବା କାରଣରୁ ତାଙ୍କ ସମ୍ପର୍କୀୟ ଚିନ୍ତାରେ ପଡିଯାଇଥିଲେ। ନିଶାମଣିଙ୍କ ଏଭଳି ପରିସ୍ଥିତି ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ନିଜାମପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ଜଣେ କର୍ମଚାରୀ ଇ-ବ୍ୟାକିଂ ମେସିନ ସହ ମେଡିକାଲରେ ପହଞ୍ଚିଥିଲେ । ଚିକିତ୍ସାଧୀନ ଥିବା ନିଶାମଣିଙ୍କ ଟିପ ଚିହ୍ନ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା ଉଠାଣ କରାଯାଇ ପ୍ରଦାନ କରିଥିଲେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏପରି ତତ୍ପରତା ଓ ସହଯୋଗମୂଳକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ