ବାଲେଶ୍ବର: ଜିଲ୍ଲାର ରେମୁଣା ବ୍ଲକ ପାଟଣାରାଇପରୁ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା । ପିତାଙ୍କ ମୃତ୍ୟୁ ପରେ ରୋଗିଣୀ ମାଆକୁ ନେଇ ଚିନ୍ତିତ ରହୁଥିବା ଏହି ଛାତ୍ରୀ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଏହି ଚିଠି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଭେଟି ସହାୟତାର ହାତ ବଢାଇଛନ୍ତି ।
ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀଙ୍କ ଚିଠି ଘଟଣା, ସହାୟତା କଲା ସ୍ବେଚ୍ଛାସେବୀ ସଂଗଠନ ସୁଭଦ୍ରାଙ୍କ ବାପା ମୃତ୍ୟୁବରଣ କରିଥିବା ବେଳେ ଘରେ ରୋଗୀଣା ମାଆ ପାଇଁ ସୁଭଦ୍ରା ଚିନ୍ତିତ ରହୁଥିଲେ । ମାସକୁ ଭତ୍ତା ବାବଦକୁ ୫୦୦ ଟଙ୍କା ଓ ଚାଉଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ଦୁଇ ଓଳି ଖାଇବା ସମ୍ଭବ ହେଉ ନଥିଲା । ଏହି ଦୁଃଖଦ ପରିସ୍ଥିତି ବିଷୟରେ ଖବର ପ୍ରଚାରିତ ହେବାପରେ ଏବେ ସୁଭଦ୍ରାଙ୍କୁ ଛୁଟିଛି ସହଯୋଗ । ସ୍ବେଚ୍ଛାସେବୀ ସଂଗଠନ 'ମୁଁ ତୁମର ସାଥୀ'ର ଟିମ୍ ଝିଅକୁ ଏକ ସାଇକେଲ ଦେବା ସହ ସମସ୍ତ ରନ୍ଧା ସାମଗ୍ରୀ ଯୋଗାଇ ଦେଇଛନ୍ତି ।
ଏହା ବି ପଢନ୍ତୁ- ସୁଭଦ୍ରାଙ୍କ ସ୍ୱପ୍ନ ଆଗରେ ବାଧକ ଅର୍ଥ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ତା' ସହ ବାଲେଶ୍ଵରର ଆଉ ଏକ ସ୍ବେଚ୍ଛାସେବୀ ସଂଗଠନ ବାଘଯତୀନ ଟିମ୍ ସେମାନେ ମଧ୍ୟ ଝିଅକୁ ଏକ ମୋବାଇଲ ଦେବା ସହ ୫ ହଜାର ଟଙ୍କା ଏବଂ ଘରର ସମସ୍ତ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି । ଏହା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ରାଜନୈତିକ ଦଳ ପକ୍ଷରୁ ଏବଂ ନିଜ ସକ୍ଷମ ଅନୁସାରେ ଯାହାବି ପାରିବେ ସାହାଯ୍ୟ କରିବେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜିଲ୍ଲା କଂଗ୍ରେସ ପକ୍ଷରୁ ସୁଭଦ୍ରାଙ୍କ ଘରକୁ ଏକ ଗ୍ୟାସ ଚୁଲା ଦିଆଯାଇଛି ।
ସେହିପରି ବିଜୁ ଜନତା ଦଳ ପକ୍ଷରୁ ସୁଭଦ୍ରାର ପଢା ଖର୍ଚ୍ଚ ପାଇଁ ୧୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପାତ୍ର । ଏହାସହ ଘର ଯୋଗାଇଦେବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏବେ ବି ସୁଭଦ୍ରାଙ୍କ ପାଖକୁ ସହଯୋଗର ହାତ ବଢାଇଛନ୍ତି । ସୂଚନା ଥାଉ କି ସୁଭଦ୍ରା ଯେତେବେଳେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ମା ମାନସିକ ସ୍ତରରେ ଭାରସାମ୍ୟ ହରାଇ ବସିଲେ । ୮ ବର୍ଷ ଧରି ମାଆଙ୍କୁ ମିଳୁଥିବା ଭତ୍ତା ଓ ରାସନ ଚାଉଳରେ ଦୁଇ ପ୍ରାଣୀ ଚଳୁଛନ୍ତି । ଯାହାକୁ ନେଇ ସୁଭଦ୍ରା ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ।
ତେବେ ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ DCPO ଯୁବକ ମାଝୀ, ରେମୁଣା ବିଡ଼ିଓଙ୍କ ସହ ଆଲୋଚନା କରି ସୁଭଦ୍ରାଙ୍କ ପରିସ୍ଥିତି ତଦନ୍ତ କରିଥିଲେ । ତଦନ୍ତ ପରେ ସୁଭଦ୍ରାଙ୍କ ପାଠପଢ଼ା ଓ ମାଆଙ୍କ ଚିକିତ୍ସା କରାଇବା ପାଇଁ ମଧ୍ୟ ଡିସିପିଓ ପ୍ରତିଶ୍ରୁତି ଦେଇଥିଲେ ।
ଇଟିଭି ଭାରତ, ବାଲେଶ୍ବର