ବାଲେଶ୍ଵର:ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ ଲିକ ହୋଇ ୨୫ରୁ ଅଧିକା କର୍ମଚାରୀ ଅସୁସ୍ଥ । ଅସୁସ୍ଥଙ୍କୁ ଜିଲ୍ଲାର ବିଭିନ୍ନ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୁଧବାର ସନ୍ଧ୍ୟାରେ ଏଭଳି ଅଘଟଣ ଘଟିଥିବା ବେଳେ କମ୍ପାନୀ କର୍ମଚାରୀ ଅସୁସ୍ଥଙ୍କ ସଂଖ୍ୟା ଲୁଚାଉଥିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କମ୍ପାନୀର କର୍ମଚାରୀମାନେ କାମସାରି ଘରକୁ ଫେରିବା ବେଳେ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଗ୍ୟାସ୍ ଲିକ୍ ଯୋଗୁଁ ପାଖାପାଖି 25 ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ପୂର୍ବରୁ ଫାଲକନ ନାମକ ଏକ କମ୍ପାନୀରେ ଏମିତି ଅଘଟଣ ଘଟି ଅନେକ କର୍ମଚାରୀ ଅସୁସ୍ଥ ହୋଇଥିଲେ । ଏହାକୁ ନେଇ ଜିଲ୍ଲାରେ ଥିବା ବିଭିନ୍ନ କମ୍ପାନୀର ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା । ସେହିପରି ଖନ୍ତାପଡ଼ାରେ ଥିବା ହାଇଲାଣ୍ଡ କମ୍ପାନୀରେ ଆଜିର ଏଭଳି ଦୁର୍ଘଟଣା ପରେ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠିଛି । ଅସୁସ୍ଥ କର୍ମଚାରୀଙ୍କ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ କାହିଁକି ଗ୍ୟାସ ଲିକ୍ ହେଲା ସେନେଇ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।