ଓ୍ବାଶିଂଟନ:ବିଶ୍ବର ସବୁଠୁ ଧନୀ ଏଲନ ମସ୍କ(Elon Musk) ଟ୍ବିଟର ହାତେଇବା ପରେ ଟ୍ବିଟରରେ ଦିନକୁ ଦିନ ନୂଆ ନୂଆ ପରିବର୍ତ୍ତନ କରୁଛନ୍ତି । ତେବେ ବ୍ଲୁ ଟିକ ସବସ୍କ୍ରିପସନକୁ କିଛି ଦିନ ସ୍ଥଗିତ ରଖାଯାଇଥିବା ବେଳେ ଆଜିଠୁ ପୁଣିଥରେ ଟ୍ବିଟର ବ୍ଲୁ ଟିକ୍(Blue Ticks) ସବସ୍କ୍ରିପସନ ଆରମ୍ଭ ହେବ । ଏନେଇ ଟ୍ବିଟର ପକ୍ଷରୁ ଶନିବାର ଦିନ ଘୋଷଣା କରାଯାଇଥିଲା । ତେବେ ଆଜିଠୁ ଟ୍ବିଟର ୟୁଜର୍ସଙ୍କୁ ବ୍ଲୁ ଟିକ ସବସ୍କ୍ରିପସନ କିଣିବାକୁ ପଡିବ । ବ୍ଲୁ ଟିକ୍ ସବସ୍କ୍ରିପସନ ମିଳିବା ପରେ ୟୁଜର୍ସଙ୍କୁ ଅନେକ ସୁବିଧା ମିଳିବ ।
ଏହା ମଧ୍ୟ ପଢନ୍ତୁ: ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
ସୂଚନାଅନୁସାରେ, ଗତମାସରେ ଟ୍ବିଟର ପକ୍ଷରୁ ଏହା ଆରମ୍ଭ କରାଯାଇଥିବା ବେଳେ ବିଫଳ ହୋଇଥିଲା । ତେଣୁ କମ୍ପାନୀ ପକ୍ଷରୁ କିଛିଦିନ ସ୍ଥିର ରଖାଯାଇଥିଲା । ତେବେ ଆଜିଠାରୁ ପୁଣି ବ୍ଲୁ ଟିକ ସବସ୍କ୍ରିପସନ ଆରମ୍ଭ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି । ୪୪ ବିଲିୟନ ଡଲାରରେ ଟୁଇଟରକୁ ଅଧିଗ୍ରହଣ କରିବା ପରେ ଏଲନ୍ ମସ୍କ ଏଥିରେ ବିଭିନ୍ନ ପରିବର୍ତ୍ତନ କରୁଛନ୍ତି । ଭେରିଫାଏଡ୍ ଫୋନ୍ ନମ୍ବର ଥିବା ୟୁଜର୍ସଙ୍କୁ ହିଁ ସେବା ମିଳିବ। ଏଥିପାଇଁ ଟ୍ବିଟର ଆକାଉଣ୍ଟର ସମୀକ୍ଷା କରିବ । ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ପୂର୍ବରୁ ଏହି ବ୍ଲୁ ଟିକ୍ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ବର୍ତ୍ତମାନ ବ୍ଲୁ ଟିକ୍ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କ ପାଇଁ ମାସିକ ୮ ଡଲାର ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ମାସିକ ୧୧ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୬ ଟଙ୍କା ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ୯୦୨ ଟଙ୍କା ଦେବାକୁ ପଡିବ ।