ହାଇଦ୍ରାବାଦ: ନୂଆ ବୀମା ପଲିସି ନେବାକୁ ଚିନ୍ତା କରୁଛନ୍ତି କି ? ପଲିସି ନବୀକରଣ(renewal) ପାଇଁ ପ୍ରିମିୟମ ଭରୁଛନ୍ତି ? ବୀମା କ୍ଲେମ ପାଇଁ ଆବଦେନ ପରେ ଆପେକ୍ଷାରେ ଅଛନ୍ତି ? ଯଦି ଆପଣ ଏଭଳି କିଛି କାର୍ଯ୍ୟ କରୁଥାନ୍ତି ତେବେ ସାବଧାନ ! ବୀମା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ବ୍ୟାପକ ଯତ୍ନବାନ ହେବା ଜରୁରୀ, କାରଣ ଏସବୁ କ୍ଷେତ୍ରରେ ବିଭିନ୍ନ ସମୟରେ ଠକେଇର ନୂଆ ନୂଆ ଘଟଣାମାନ ଘଟୁଛି । ତେଣୁ ବୀମା ଜନିତ ଠକେଇରୁ ବର୍ତ୍ତିବା ପାଇଁ କିଛି ଟିପ୍ସ ଜାଣିରଖିବା ଜରୁରୀ । ଯଦି ଆପଣଙ୍କ ନିକଟକୁ କୌଣସି କଲ୍ ଆସେ ଏବଂ କଲ୍ କରିଥିବା ବ୍ୟକ୍ତି ନିଜ ବୀମା କମ୍ପାନୀ ଏଜେଣ୍ଟ ବୋଲି ଦାବି କରନ୍ତି, ତେବେ ଏହାର ସତ୍ୟାସତ୍ୟ ସମ୍ପର୍କରେ ଗଭୀରତାର ସହ ଚିନ୍ତା କରିବା ଉଚିତ୍ ।
ସମ୍ପୃକ୍ତ ବ୍ୟକ୍ତି ନିର୍ଦ୍ଧିଷ୍ଟ ବୀମା ପଲିସି ସମ୍ପର୍କରେ ବୁଝାଇବା ସମୟରେ ଆପଣ ପ୍ରଥମେ ଚିନ୍ତା କରିବେ ଯେ, କୌଣସି ଅଜ୍ଞାତ ବ୍ୟକ୍ତି ଉପରେ ବିଶ୍ବାସ କରିବା କେତେଦୂର ଠିକ୍ । ତାଙ୍କ ଦ୍ବାରା ଦିଆଯାଇଥିବା ବୋନସ, ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ଲାଭ ଦ୍ବାରା ପ୍ରଭାବିତ ହୋଇ ତାଙ୍କ କଥା ମାନିବା ଅନୁଚିତ୍ । ବରଂ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ସେମାନଙ୍କ କଷ୍ଟମର କେୟାର(customer care) ଅଥବା ପୋର୍ଟାଲରେ ଡବଲ ଚେକ୍ କରିବା ଆବଶ୍ୟକ । ପଲିସି ନେବାର ଶୀଘ୍ରତା ଆପଣଙ୍କୁ ଠକଙ୍କ ଜାଲରେ ଛନ୍ଦିପାରେ । ଯଦି ସେମାନେ କମ୍ ପ୍ରିମିୟମର ସୁବିଧା ଦେଉଥାନ୍ତି, ତେବେ ଆପଣ ତାହାସହ ଜଡିତ ବୀମା କମ୍ପାନୀ ଠାରୁ ସତ୍ୟାସତ୍ୟ ଯାଞ୍ଚ କରିନେବା ଭଲ ହେବ । ଯେକୌଣସି ପଲିସି ଦସ୍ତାବିଜ ଅବା ବ୍ୟାଙ୍କ କାଗଜରେ ଦସ୍ତଖସ୍ତ କରିବା ସମୟରେ ବ୍ୟାପକ ସଚେତନତା ପରଖିବା ଜରୁରୀ ।