ନୂଆଦିଲ୍ଲୀ: ପୁଣି ବଢିଲା ସୁଧହାର । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣିଥରେ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି(RBI Hike Repo Rate) । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଏହାସହିତ ଏବେ ରେପୋ ରେଟ୍ ୫.୪୦%ରୁ ବୃଦ୍ଧି ପାଇ ୫.୯୦%ରେ ପହଞ୍ଚି ଯାଇଛି । ସେପ୍ଟେମ୍ବର ୨୮ରୁ ଚାଲିଥିବା ତିନି ଦିବସୀୟ ମୁଦ୍ରାନୀତି କମିଟି ବୈଠକ(MPC Meet)ଆଜି ଶେଷ ହୋଇଥିବା ବେଳେ ବୈଠକରେ ସୁଧହାର ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଦରଦାମ୍ ନିୟନ୍ତ୍ରଣ ପାଇଁ ଆରବିଆଇ କ୍ରମାଗତ ଚତୁର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟ ବୃଦ୍ଧି କରିଛି(RBI MPC raise repo rate) ।
ରେପୋ ରେଟ୍ ବଢିବା ଅର୍ଥ ବ୍ୟାଙ୍କ ଋଣ ମହଙ୍ଗା ହୋଇଯିବ । ବ୍ୟାଙ୍କ ହୋମ ଲୋନ, କାର ଲୋନ ଉପରେ ସୁଧହାର ବଢାଇବେ । ଯାହାକି ସବୁ ବର୍ଗର ଗ୍ରାହକଙ୍କୁ ପ୍ରଭାବିତ କରିବ । ସାଧାରଣ ଲୋକଙ୍କୁ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡିବ । ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିଥିବାରୁ ଏବଂ ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ ବୃଦ୍ଧି କରିପାରନ୍ତି ବୋଲି ପୂର୍ବରୁ ଅର୍ଥନୀତିଜ୍ଞ ଏବଂ ବିଶ୍ଲେଷକମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ । ଯାହାକି ସତ ହୋଇଛି ।