ନୂଆଦିଲ୍ଲୀ: ଚାଉଳର ଦର ବଢୁଥିବା ଲକ୍ଷ୍ୟ ରଖି ଏହା ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଭାରତ ସରକାର ବ୍ରୋକେନ ରାଇସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ନେଇ ଭାରତ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆଜିଠୁ ଏହି ନିୟମ ଲାଗୁ ହେଉଥିବାବେଳେ ପୂର୍ବରୁ ବ୍ରୋକେନ ରାଇସ ରପ୍ତାନୀ ଉପରେ କୌଣସି ଶୁଳ୍କ ଲାଗୁନଥିଲା ।
ଏହାବ୍ୟତୀତ ଭାରତ ସରକାର ବାସୁମତୀ ଚାଉଳ ରପ୍ତାନୀ ଉପରେ ୨୦ ପ୍ରତିଶତ ଟିକସ ଆଦାୟ କରିବେ । ଏହି ଆଦେଶ ମଧ୍ୟ ଆଜିଠୁ ଲାଗୁ କରାଯିବ । ସୂଚନା ଥାଉ କି ଭାରତ ଚୀନ ପରେ ସବୁଠୁ ଅଧିକ ଚାଉଳ ଉତ୍ପାଦନ କରୁଥିବା ଦେଶ । ବୈଶ୍ବିକ ଚାଉଳ ଉତ୍ପାଦନରେ ଭାରତର ୨୦ ପ୍ରତିଶତ ଅଂଶୀଦାର ରହିଛି । ଏ ନେଇ ରାଜସ୍ବ ବିଭାଗ କହିଛି ଯେ ଖରିଫ ଫସଲରେ ଧାନ ଉତ୍ପାଦନ କମିଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
କୃଷି ମନ୍ତ୍ରଣାଳୟ ଅନୁସାରେ, କିଛି ରାଜ୍ୟରେ ବର୍ଷା କମ ହୋଇଥିବା ଯୋଗୁଁ ଖରିଫ ଋତୁରେ ଧାନ ଚାଷ ପ୍ରଭାବିତ ହୋଇଛି । ଭାରତ ୨୦୨୧-୨୨ ମଧ୍ୟରେ ୨.୧୨ କୋଟି ଟନ୍ ଚାଉଳ ରପ୍ତାନୀ କରିଥିଲା । ଏହି ସମୟରେ ୧୫୦ରୁ ଅଧିକ ଦେଶକୁ ୬.୧୧ ଆରବ ଡଲାରର ବାସୁମତୀ ଚାଉଳ ରପ୍ତାନୀ କରାଯାଇଥିଲା । ଖରିଫ ଋତୁରେ ଧାନ ମୌସୁମୀ ବା ଜୁନ ଓ ଜୁଲାଇ ମାସରେ ଚାଷ କରାଯାଉଥିବା ବେଳେ ଅକ୍ଟୋବର ଓ ନଭେମ୍ବର ମାସରେ ଅମଳ କରାଯାଏ ।