ନୂଆଦିଲ୍ଲୀ:Amazon ପରେ ଫାଇନ ଗଣିବ Flipkart । ଗ୍ରାହକଙ୍କୁ ନିମ୍ନମାନର ସାମଗ୍ରୀ ଯୋଗାଇବା ଅଭିଯୋଗରେ Flipkart ଉପରେ ପଡିଛି ଏକ ଲକ୍ଷର ଫାଇନ । ତେବେ Flipkart ଖରାପ ବା ନିମ୍ନମାନର ପ୍ରେସର କୁକୁର ବିକ୍ରି କରି ଏହି ଫାଇନ ଗଣୁ ଥିବାବେଳେ ପୂର୍ବରୁ ମଧ୍ୟ Amazon ସମାନ କାରଣ ପାଇଁ ଫାଇନ ଗଣିଥିଲା । ଗ୍ରାହକଙ୍କ ଅଧିକାର ଉଲ୍ଲଙ୍ଘନ କରିବା ଅଭିଯୋଗରେ Central Consumer Protection Authority(CCPA) ଅର୍ଥାତ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଇ-କମର୍ସ(E-commerce) ପ୍ଲାଟଫର୍ମ Flipkart ଉପରେ ଏକ ଲକ୍ଷର ଜରିମାନା ପକାଇଛନ୍ତି ।
CCPA ମୁଖ୍ୟ କମିଶନର ନିଧି ଖେରଙ୍କ ଅଧ୍ୟକ୍ଷତାରେ ଏନେଇ ବସିଥିବା ବୈଠକରେ ନିର୍ଦ୍ଦେଶ ରହିଛି ଯେ, Flipkart ପ୍ଲାଟଫର୍ମରେ ବିକ୍ରି ହୋଇଥିବା ସମସ୍ତ 598 ପ୍ରେସର କୁକର ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା, ନିମ୍ନମାନର ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକଙ୍କୁ ସେମାନଙ୍କ ମୂଲ୍ୟ ଫେରସ୍ତ କରିବ । ଏଥିସହ 45 ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି CCPA । ସେହିପରି ଇ-କମର୍ସ ପ୍ଲାଟଫର୍ମରେ ଏଭଳି ପ୍ରେସର କୁକର ବିକ୍ରିକୁ ଅନୁମତି ଦେବା ଏବଂ ଗ୍ରାହକଙ୍କ ଅଧିକାରର ଉଲ୍ଲଙ୍ଘନ ପାଇଁ କମ୍ପାନୀକୁ 1,00,000 ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।