ଲଣ୍ଡନ: "ଆସେସ ସିରିଜ ବେଳେ ଖେଳାଳିଙ୍କ ସହ ସେମାନଙ୍କ ପରିବାରକୁ ରହିବାକୁ ଅନୁମତି ନମିଳିଲେ ସିରିଜ ବାତିଲ କରିବା ଉଚିତ ।" ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ୱନ । ବର୍ତ୍ତମାନ ଅଷ୍ଟ୍ରେଲିଆରେ ଶକ୍ତ କୋଭିଡ କଟକଣା ଜାରି ରହିଛି ।
ଏଭଳି ସ୍ଥିତିରେ ଆସେସ ସିରିଜ ବେଳେ ଖେଳାଳିଙ୍କ ପରିବାରକୁ ଅଷ୍ଟ୍ରେଲିଆ ଗସ୍ତ ଅନୁମତି ମିଳିବା ନେଇ ସନ୍ଦେହ ଦେଖା ଦେଇଛି । ଡିସେମ୍ବର 8 ତାରିଖରେ ଏହି ସିରିଜ ଆରମ୍ଭ ହେବ । 4 ମାସ ଧରି ଏହି ସିରିଜ ଚାଲିବ ।
ଏହାକୁ ନେଇ ମାଇକେଲ ୱନ କହିଛନ୍ତି ଯେ, "ରିପୋର୍ଟରୁ ଜାଣିବାକୁ ପାଇଲି ଆସେସ ସିରିଜ ବେଳେ ଇଂଲଣ୍ଡ କ୍ରିକେଟର ସେମାନଙ୍କ ପରିବାର ସହ ରହି ନପାରନ୍ତି । ଯଦି ଏଭଳି ହୁଏ ତେବେ ଏହି ସିରିଜ ବାତିଲ ହେବା ଉଚିତ । କାରଣ 4 ମାସ ଧର ନିଜ ପରିବାର ଠାରୁ ଦୁରରେ ରହିବା ଛୋଟ କଥା ନୁହେଁ ।"
ତେବେ ଏହାକୁ ନେଇ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କେଭିନକ ପିଟରସନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ଶକ୍ତ କଟକଣା ଯୋଗୁଁ ଯଦି କୌଣସି ଖେଳାଳି ଆସେସ ସିରିଜରୁ ଓହରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ନେଇ ଟିପ୍ପଣୀ କରିବା ଠିକ ହେବନି ବୋଲି ସେ କହିଛନ୍ତି ।