ନୂଆଦିଲ୍ଲୀ: ଆସିଲା ସହରାଞ୍ଚଳ ବେକାରୀ ଡାଟା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(NSO) ପକ୍ଷରୁ ସହରାଞ୍ଚଳ ବେରୋଜଗାରୀ ତଥ୍ୟ ଜାରି ହୋଇଛି । ତଥ୍ୟ ଅନୁଯାୟୀ, 2020-21 ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟ ମାସରେ ସହରୀ ବେରୋଜଗାରୀ ହ୍ରାସ ପାଇ 10.3 ପ୍ରତିଶତ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ସମୟ ଧରି NSO ବେରୋଜଗାରୀ ରେଟ୍ ସମ୍ପର୍କରେ କୌଣସି ଡାଟା ଉପସ୍ଥାପନ କରିନଥିଲା । ଏହି ତଥ୍ୟ ପାଇଁ CMIE (ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ) ଭଳି ଅଣ-ସରକାରୀ ଥିଙ୍କ୍ ଟ୍ୟାଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡୁଥିଲା ।
NSO ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷର ଶେଷ ତ୍ରୟ ମାସରେ ଭାରତର ସହରାଞ୍ଚଳରେ ବେରୋଜଗାରୀ ହାର 10.3 ପ୍ରତିଶତ ରହିଛି । ଯାହା ଏହାର ପୂର୍ବ ତ୍ରୟ ମାସରେ(ଜୁଲାଇ-ସେପ୍ଟେମ୍ବର) 13.2 ପ୍ରତିଶତ ରହିଥିଲା । ସେହିପରି 2019-20 ଆର୍ଥିକ ବର୍ଷ ଶେଷର ତ୍ରୟ ମାସରେ ବେରୋଜଗାରୀ ରେଟ୍ ମାତ୍ର 7.8 ପ୍ରତିଶତ ଥିଲା । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ଜାରି quarterly periodic labour force survey data(ତ୍ରୟ ମାସିକ ଶ୍ରମଶକ୍ତି ସର୍ବେକ୍ଷଣ)ରୁ ଜଣାପଡିଛି ।
ଡିସେମ୍ବର 2020 ବର୍ଷର ତ୍ରୟ ମାସରେ ଦେଶବ୍ୟାପୀ 15 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ହାର(LFPR) ବୃଦ୍ଧି ପାଇଛି ଏବଂ ଏହା ବର୍ତ୍ତମାନ 47.3 ପ୍ରତିଶତ ରହିଛି । ଯେତେବେଳେ କି ଏହା ପୂର୍ବରୁ ଏହି ରେଟ୍ 47.2 ପ୍ରତିଶତ ଥିଲା । NSO ଅଖିଳ ଭାରତୀୟ ସ୍ତରରେ ସହରାଞ୍ଚଳରେ ଗତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମୋଟ 5,563 UFS ବ୍ଲକରେ ସର୍ଭେ କରିଥିଲା । ଯେଉଁଥିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ସର୍ଭେ ଅନୁସାରେ, ଗତ ଆର୍ଥିକ ବର୍ଷର ଅପ୍ରିଲ-ଜୁନ ତ୍ରୟ ମାସରେ ଦେଶରେ ସବୁଠୁ ଅଧିକ 20.8 ପ୍ରତିଶତ ବେକାରୀ ହାର ରହିଥିଲା । କାରଣ ଏହି ଅବଧି ମଧ୍ୟରେ ଦେଶ ମହାମାରୀ ସହ ସଂଘର୍ଷ କରୁଥିଲା । ଲକଡାଉନ ସଟଡାଉନ ଯୋଗୁଁ ଅନେକ ଲୋକ କାମଧନ୍ଦା ହରାଇ ବସିଥିଲେ । ଯାହାଫଳରେ ହୁ ହୁ ହୋଇ ବଢିଥିଲା ବେକାରୀ ସମସ୍ୟା । 2021 ମାର୍ଚ୍ଚରେ ଶେଷ ହେଉଥିବା ତ୍ରୟ ମାସରେ 15 ବର୍ଷରୁ ତଦୁର୍ଦ୍ଧ ଲୋକଙ୍କ ମଧ୍ୟରେ LFPR ସାରା ଦେଶରେ ମୋଟ 47.3 ପ୍ରତିଶତ ରହିଥିଲା । ଯାହାକି ଏହାର ପୂର୍ବ ତ୍ରୟ ମାସରେ 47. 2 ପ୍ରତିଶତ ଏବଂ ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ୍ 2019-20 ଅକ୍ଟୋବର-ଡିସେମ୍ବର ତ୍ରୟ ମାସରେ 47.8 ପ୍ରତିଶତ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ