ଭୁବନେଶ୍ବର: ଟ୍ରାକକୁ ଫେରୁଛି ରାଜ୍ୟ ଅର୍ଥବ୍ୟବସ୍ଥା । କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ରହିଛି । କୋରୋନା ପରେ ବି ଓଡିଶାକୁ ପୁଞ୍ଜି ନିବେଶର ସୁଅ ଛୁଟିଛି । ଚଳିତ ଆର୍ଥିକ ବର୍ଷ ରାଜ୍ୟରୁ ୧୭,୫୧୪କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହି ନିବେଶ ଦ୍ବାରା 13,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ ରହିଛି ।
ସେହିପରି କୋରୋନା ମୁକାବିଲା ପାଇଁ କେବଳ ଶିଳ୍ପ ନୁହେଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି ସରକାର । ସେପଟେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଜରିଆରେ ନୂଆ ପ୍ରକଳ୍ପକୁ ବି ମଞ୍ଜୁରୀ ମିଳୁଛି । ଯାହାକି ଅର୍ଥନୀତିକୁ ଏକ ନୂଆ ଆଶା ଦେଖାଇଛି ।
ତଥାପି କୋରୋନା କଟକଣା ଓ ଲକଡାଉନ ମାଡରେ 2020-21 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି 68 ହଜାର 306 କୋଟି ଟଙ୍କା କ୍ଷତି ସହିପାରେ । ରାଜ୍ୟ ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ମଧ୍ୟ 11.9 ପ୍ରତିଶତ ହ୍ରାସ ପାଇବ । ଏସ୍ବିଆଇ କୋରାପ୍ ରିପୋର୍ଟରେ ଏହା ଆକଳନ ହୋଇଛି । କେବଳ ସେତିକି ନୁହେଁ ମୁଣ୍ଡିପିଛା ଆୟ ମଧ୍ୟ 14 ହଜାର 745 ଟଙ୍କା କମିବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି ।
କୋରୋନା କଟକଣା ଯୋଗୁଁ ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଛି । ଖଣି, ଶିଳ୍ପଠୁ ଆରମ୍ଭ କରି ପର୍ଯ୍ୟଟନ ଓ ପରିବହନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ଫଳରେ ଲୋକଙ୍କ ଆୟ କମିଛି । ଯାହାର ପ୍ରଭାବ ସିଧାସଳଖ ରାଜ୍ୟରେ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି । ଏପ୍ରିଲ୍, ମେ ଓ ଜୁନ୍ ଅର୍ଥାତ ପ୍ରଥମ ତ୍ରୟମାସରେ ରାଜସ୍ବ ଆଦାୟ ଗତବର୍ଷ ତୁଳନାରେ 23 ପ୍ରତିଶତ ହ୍ରାସ ପାଇଛି ।