ହାଇଦ୍ରାବାଦ: କେନ୍ଦ୍ର ବଜେଟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସରକାରଙ୍କୁ ଅଧିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ । ଜଣେ ଆଗଧାଡିର ଅର୍ଥନୀତିଜ୍ଞ ତଥା ବେଙ୍ଗାଲୁରୁରେ ଥିବା ବିଏସିଇ ବିଶ୍ବବିଦ୍ୟାଳୟର ଭାଇସ ଚାନସେଲର ଡ. ଏନଆର ଭାନୁମୂର୍ଥୀ ଅନୁସାରେ, ଅର୍ଥ କମିଶନଙ୍କ ସୁପାରିଶକୁ ବଜେଟରେ ଯୋଡିବା ସରକାରଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ।
ଏହାପୂର୍ବରୁ, 15 ତମ ଅର୍ଥ କମିଶନ 2021-22 ରୁ 2025-26 ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରି ରାଜ୍ୟଗୁଡିକୁ ଟିକସ ବିନିଯୋଗ, ସ୍ଥାନୀୟ ସରକାରୀ ଅନୁଦାନ, ବିପର୍ଯ୍ୟୟ ପରିଚାଳନା ଅନୁଦାନ ଆଦି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୁପାରିଶ କରିଥିଲେ। ଯାହା ସଂସଦରେ ସରକାର ଆଗତ କରିବା ପରେ ସମସ୍ତଙ୍କ ସାମ୍ନାରେ ରହିବ ।
ଆମେ ସୁପାରିଶ କଣ ଜାଣିନାହୁଁ କିମ୍ବା କେନ୍ଦ୍ର ଓ ରାଜ୍ୟର ଆର୍ଥିକ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା କେତେ ତାହା ବି ଜାଣିନୁ, ହେଲେ ମୁଁ ଭାବୁଛି ଅର୍ଥ କମିଶନଙ୍କ ସୁପାରିଶ ରାଜକୋଷୀୟ ଟାର୍ଗେଟକୁ ପୂରଣ କରିବା ପାଇଁ ଏକ ରୋଡମ୍ୟାପ ହେବ ବୋଲି ସେ କହିଛନ୍ତି ।
ଏଥିସହ, ଅର୍ଥ କମିଶନ ରାଜ୍ୟ ତଥା ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାକୁ ଟିକସ ବିନିଯୋଗ ସହିତ କାରବାର କରୁଥିବାରୁ ଅନେକ ରାଜ୍ୟ ବଜେଟ୍ ମଧ୍ୟ ଏହି ରିପୋର୍ଟ ଏବଂ କେନ୍ଦ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।
5 ଟ୍ରିଲିୟନ ଡଲାର ଅର୍ଥନୀତି
କୋରୋନା ଭାଇରସ ପରେ, ମାର୍ଚ୍ଚ 25 ତାରିଖରୁ ପ୍ରାୟ ତିନିମାସ ଧରି ଭାରତ ସମ୍ପୂର୍ଣ୍ଣ ଲକଡାଉନକୁ ଗଲାବେଳେ, ଏପ୍ରିଲ୍-ଜୁନ୍ ଅବଧିରେ ଜିଡିପି 23.9% ହ୍ରାସ ହେବା ସହିତ ଅର୍ଥନୀତିକୁ ଏକ ବଡ଼ ଧକ୍କା ଦେଇଥିଲା।
ତେବେ ଏଥିରୁ ମୁକୁଳିବା ପାଇଁ ତଥା ଅର୍ଥନୀତିକୁ ଟ୍ରାକକୁ ଫେରାଇବା ପାଇଁ 29.87 ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା ।
ଭାନୁମୂର୍ତ୍ତି କହିଛନ୍ତି ଯେ “ଚଳିତ ବର୍ଷ ବଜେଟ୍ ଆସନ୍ତା ପାଞ୍ଚ ବର୍ଷ ଉପରେ ଧ୍ୟାନ ଦେବ ଏବଂ ମୋର ଅନୁଭବ ହେଉଛି ଯେ ସରକାର 2025-26 ପାଇଁ“ 5 ଟ୍ରିଲିୟନ ଡଲାର ଅର୍ଥନୀତି ”ଲକ୍ଷ୍ୟ ଫେରାଇ ଆଣିପାରନ୍ତି।”